)
BJD DIGITAL WING: ଆଗାମୀ ୨୦୨୪ ସାଧରଣ ନିର୍ବାଚନ ଲାଗି ଅଣ୍ଟା ଭିଡ଼ିଛି ଶାସକ ବିଜେଡ଼ି । କେତେବେଳେ ଶୋଭାଯାତ୍ରା ତ ଆଉ କେତେବେଳେ ବିରାଟ ମହିଳା ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରୁଛି ଦଳ । ପୁରୀରେ ବିଜେଡିକୁ ମଜବୁତ କରିବା ପାଇଁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁଭାଶିଷ ଖୁଣ୍ଟିଆ ଜୋରଦାର ଉଦ୍ଯମ ଜାରି ରଖିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଡିଜିଟାଲ ପ୍ରଚାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ଡିଜିଟାଲ କର୍ମକର୍ତ୍ତାଙ୍କୁ ନେଇ ସଂସ୍କୃତି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏଥିରେ ଡିଜିଟାଲ କର୍ମକର୍ତ୍ତାମାନଙ୍କୁ ଆଗାମୀ ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେବାକୁ ପଡିବ ନେଇ ପରାମର୍ଶ ଦିଆଯାଇଛି । ଦଳର ପ୍ରତିଟି ଲୋକାଭିମୁଖୀ ଯୋଜନାକୁ ଡିଜିଟାଲ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଇଛି । ତେବେ ଡିଜିଟାଲ ଉଇଙ୍ଗର ଭୂମିକା କିଭଳି ରହିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରାଯାଇଛି । ଏବେ ଠାରୁ ଡିଜିଟାଲ ମିଡିଆରେ ସକ୍ରିୟ ରହିବା ପାଇଁ ଡିଜିଟାଲ ଉଇଙ୍ଗଙ୍କୁ ପରାମର୍ଶ ଦିଆଯାଇଛି। ଏବେ ଡିଜିଟାଲ ମିଡିଆର ଭୂମିକା ବେଶ୍ ସୁଦୁରପ୍ରସାରୀ ହୋଇଛି। ଛୋଟଛୋଟ ଘଟଣା ବି ଖୁବ୍ କମ୍ ସମୟରେ ଡିଜିଟାଲ ମିଡିଆ ମାଧ୍ୟମରେ ବିଶ୍ୱରେ କୋଣକୋଣରେ ପହଞ୍ଚି ପାରୁଛି। ଏଣୁ ଦଳକୁ ମଜବୁତ କରିବା ପାଇଁ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଅସ୍ତ୍ର ପାଲଟିଛି। ଏଣୁ ଡିଜିଟାଲ କର୍ମକର୍ତ୍ତାଙ୍କ ପାଇଁ ଏବେ ପ୍ରତିଟି ମୁହୂର୍ତ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ଉପସଭାପତି। ଏହି କର୍ମଶାଳାରେ ଅନ୍ଯମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ଯକ୍ଷ ଗୌରହରି ପ୍ରଧାନ ଓ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ।