)
ଦେବଗଡ଼: ବାରକୋଟ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ଆସିଛି । ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ପିଡିତା । ଘଟଣାରେ ପୋଲିସ ଅଭିଯୁକ୍ତକୁ କାବୁ କରିଛି । ହସ୍ପିଟାଲରେ ପୋଲିସ ହେପାଜତରେ ଅଛନ୍ତି ଅଭିଯୁକ୍ତ ।
ଅନ୍ୟପଟେ, ଘଟଣାକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନବୀନ ଲେଖିଛନ୍ତି ଯେ, ଦେଶ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଦେବଗଡ଼ରେ ୫ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ଦୁଃଖଦ ଓ ସ୍ପର୍ଶକାତର ବିଷୟ। ପ୍ରତିଦିନ ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ପରି ବିଭତ୍ସ ଘଟଣା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସାଧାରଣ ଜନତାଙ୍କୁ ଆତଙ୍କିତ ଏବଂ ବିଚଳିତ କରୁଛି। ସାଧାରଣତନ୍ତ୍ର ଦିବସରେ ସମୃଦ୍ଧ, ବିକଶିତ ଓଡ଼ିଶା ଗଠନ ନେଇ ସରକାର ବଡ଼ ଭାଷଣ ଦେଉଛନ୍ତି। ହେଲେ ଆମ ଶିଶୁକନ୍ୟା, ମା'ଭଉଣୀଙ୍କ ସୁରକ୍ଷା ବିନା କ'ଣ ବିକଶିତ ଓଡ଼ିଶା ସମ୍ଭବ? ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ସୁରକ୍ଷା ହେଉଛି ସର୍ବୋପରି। ସରକାରଙ୍କ ନିଦ ଏବେ ନ ଭାଙ୍ଗିଲେ ସ୍ଥିତି ଆହୁରି ବିପର୍ଯ୍ୟସ୍ତ ହେବ। ଦୁଷ୍କର୍ମ ପରି ହୀନ କାର୍ଯ୍ୟକୁ ରୋକିବା ଦିଗରେ ସରକାର ଦୃଢ଼ ହୁଅନ୍ତୁ। ସଚେତନତାକୁ ବ୍ୟାପକ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।