Advertisement
Article Detail0/zeeodisha/odisha2773671
Zee OdishaOdisha StateBJD Politics: ବିଜେଡିରେ ପୁଣି ‘ପୁରୀ’ କଳି: କିଏ ସିଏ ସୃଷ୍ଟି କରୁଛି ବିଜେଡିରେ ଗୋଷ୍ଠୀକନ୍ଦଳ?

BJD Politics: ବିଜେଡିରେ ପୁଣି ‘ପୁରୀ’ କଳି: କିଏ ସିଏ ସୃଷ୍ଟି କରୁଛି ବିଜେଡିରେ ଗୋଷ୍ଠୀକନ୍ଦଳ?

ଭୁବନେଶ୍ୱର: ପୁରୀ ରାଜନୀତିରେ ପୁଣି ଏକ ହଲଚଲର ଆଭାସ। କ୍ଷମତାରେ ନଥିଲେ ବି ବିଜେଡିରେ ଏହି ହଲଚଲ ହେବାକୁ ଯାଉଛି। ଏହାପୁଣି ଜଣେ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକଙ୍କୁ କେନ୍ଦ୍ରକରି। ଯାହାକୁ ସଂଗଠନର ତୁଙ୍ଗ ନେତାମାନେ ବି ସମାଧାନ କରିପାରୁ ନାହାନ୍ତି। ଏ ପଛରେ ଏକ ବଳିଷ୍ଠ ଅଦୃଶ୍ୟ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି।

BJD Politics: ବିଜେଡିରେ ପୁଣି ‘ପୁରୀ’ କଳି: କିଏ ସିଏ ସୃଷ୍ଟି କରୁଛି ବିଜେଡିରେ ଗୋଷ୍ଠୀକନ୍ଦଳ?

BJD Politics: ଭୁବନେଶ୍ୱର: ପୁରୀ ରାଜନୀତିରେ ପୁଣି ଏକ ହଲଚଲର ଆଭାସ। କ୍ଷମତାରେ ନଥିଲେ ବି ବିଜେଡିରେ ଏହି ହଲଚଲ ହେବାକୁ ଯାଉଛି। ଏହାପୁଣି ଜଣେ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକଙ୍କୁ କେନ୍ଦ୍ରକରି। ଯାହାକୁ ସଂଗଠନର ତୁଙ୍ଗ ନେତାମାନେ ବି ସମାଧାନ କରିପାରୁ ନାହାନ୍ତି। ଏ ପଛରେ ଏକ ବଳିଷ୍ଠ ଅଦୃଶ୍ୟ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି। ଯେଉଁ ହାତର ସ୍ପର୍ଶରେ ପୁରୀଜିଲ୍ଲାରୁ ଦୁଇ ନିଶ୍ଚିତ ଆସନ ବିଜେଡି ହାତରୁ ଖସିଥିଲା ସେହି ଅଦୃଶ୍ୟ ହାତର ପୁଣିଥରେ ଆବିର୍ଭାବ ହୋଇଥିବା ଚର୍ଚ୍ଚା ହେଉଛି। 

ଏହା ୨୦୨୪ ଫେବୃୟାରୀ ମାସର କଥା। ଆପଣଙ୍କ ମନେଥାଇପାରେ।  ସେ ସମୟରେ ହଠାତ୍‍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଥିଲା ଧଉଳିରେ ଏକ କର୍ମୀ ସମ୍ମିଳନୀ। ବ୍ରହ୍ମଗିରିର ପରାଜିତ ବିଧାୟକ ସଞ୍ଜୟ ଦାସବର୍ମା ସେତେବେଳେ  ଏହି ବୈଠକରେ ଏମିତି କିଛି ଘୋଷଣା କରିଥିଲେ ଯାହା ପୁରୀ ପାଇଁ ନୂଆଥିଲା। ସେ  ଘୋଷଣା କରିଥିଲେ ଯେ ସେ ୨୦୨୪ ନିର୍ବାଚନ ସତ୍ୟବାଦୀରୁ ଲଢ଼ିବେ। ଏହା କୁଆଡ଼େ ଉପର ମୁଣ୍ଡରେ ନିଷ୍ପତ୍ତି ହୋଇଛି। ସେତେବେଳେ ବିଧାୟକ ଭାବେ ଉମା ସତ୍ୟବାଦୀରେ ଥିଲେ। କିନ୍ତୁ ଜଣେ ନିର୍ବାଚିତ ବିଧାୟକଙ୍କୁ ନଜଣାଇ ତାଙ୍କଠାରୁ ତାଙ୍କ ଆସନକୁ ଛଡ଼ାଇ ନେବାର ଉଦ୍ୟମ ପଛରେ ହୋଇଥିବା ଷଡ଼ଯନ୍ତ୍ର ଆଗରେ ଉମା ହାର ମାନି ଯାଇଥିଲେ। ଯଦିଓ ୨୦୧୪ ଏବଂ ୨୦୧୯ ନିର୍ବାଚନ ସେ ନିଜ ଦମରେ ଲଢ଼ିଥିଲେ କିନ୍ତୁ ବୁଝିପାରି ନଥିଲେ ଯେ ସେ କିପରି ଏହାର ଜବାବ ଦେବେ। କେମିତି ଗଣମାଧ୍ୟମକୁ ଭେଟିବେ? 

 ଉମା ଏହାର ଉତ୍ତରରେ କେବଳ କହିଥିଲେ ଟିକଟ ବଣ୍ଟା ହୋଇନି। ‘ମୁଖ୍ୟମନ୍ତ୍ରୀ ତଥା ଫାଇଭ୍‍ ଟି ଅଧ୍ୟକ୍ଷଙ୍କ ନିଷ୍ପତ୍ତି ହେବ ଉମା ସାମନ୍ତରାୟ ତଥା ସତ୍ୟବାଦୀର ନିଷ୍ପତ୍ତି’। ଏହା କହି ପରୋକ୍ଷ ଭାବେ ଉମା ସେତେବେଳେ ବିଜେଡି ରାଜନୀତିର ପ୍ରମୁଖ ବିନ୍ଧାଣୀ ସାଜିଥିବା ପାଣ୍ଡିଆନ୍‍ଙ୍କ ଆଡ଼କୁ ଦୃଷ୍ଟି କଢ଼ାଇଥିଲେ। ସେ କହିବାକୁ ଚାହିଁଥିଲେ ଯେ, ପାଣ୍ଡିଆନ୍‍ଙ୍କ ପରାମର୍ଶରେ ଏସବୁ ହୋଇଛି।    ଉମାଙ୍କୁ ନଜଣାଇ ସଞ୍ଜୟଙ୍କୁ ସେ ଦମ୍ଭ ଦେଇ ସାରିଥିଛନ୍ତି। ଯାହାକୁ ନେଇ ମିଡିଆରେ ଚର୍ଚ୍ଚା ହେଲା। ପରେ ଦଳର ସାଂଗଠନିକ ସମ୍ପାଦକ ଦୁଇଜଣଙ୍କୁ ବସାଇ ହିସାବ ନିକାସ କରିଥିଲେ। ସେତେବେଳେ ତ ସଞ୍ଜୟଙ୍କ ଆସନକୁ ଉମାଙ୍କୁ ଓ ଉମାଙ୍କ ଆସନଙ୍କୁ ସଞ୍ଜୟଙ୍କୁ ଦିଆଯାଇ ଉତ୍ତେଜନାକୁ ପ୍ରଶମିତ କରାଯାଇଥିଲା କିନ୍ତୁ  ଦଳର ଏହି ଭୁଲ୍‍ ନିଷ୍ପତ୍ତି ଏକା ଥରେ ଦୁଇ ଦୁଇଟି ଆସନ ହରାଇବାକୁ ବାଧ୍ୟ କରିଥିଲା । 

Add Zee News as a Preferred Source

 ଏହି ପରାଜୟରୁ ବିଜେଡି ଉଚ୍ଚ ନେତୃତ୍ୱ ଯାହା ଶିକ୍ଷା କଲେ ତାହା ଆଉ ଏକ ଭୁଲ୍‍ ପାଇଁ ବାଟ କଢ଼ାଇଥିବା ଜଣାପଡ଼ିଛି।  ଯେହେତୁ ଦଳର ଭୁଲ ନିଷ୍ପତ୍ତି ଯୋଗୁ ସତ୍ୟବାଦୀ ବିଜେପି ଖାତାକୁ ଚାଲିଗଲା ଏଣୁ  ଉମାଙ୍କୁ ଥଇଥାନ କରିବା ଲାଗି ଦଳ ଚାହିଁଛି। କାରଣ ଉମା କୌଣସି ଦଳରେ ନଥାଇବି ସତ୍ୟବାଦୀ ଜିତିଥିଲେ। ୨୦୧୪ ଓ ୨୦୧୯ରେ ସେ ବିଧାୟକ ହୋଇଥିଲେ। ୨୦୨୪ରେ ତାଙ୍କୁ ପୁରୀରେ ଅଙ୍କୁଶ ଲଗାଇବାକୁ ଯାଇ ବିଜେଡି ତାଙ୍କ ଆସନ ବଦଳାଇଥିଲା। ଏଣୁ ଏହା ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏବେ ସେ ଭୁଲ୍‍କୁ ସୁଧାରିବା ଲାଗି ତଥା ଉମାଙ୍କୁ ଶାନ୍ତ କରିବାକୁ ବିଜେଡି ଚାହୁଁଛି। ଏଣୁ ପ୍ରାୟତଃ ତାଙ୍କୁ ପୁରୀ ସଭାପତି ଆସନ ଦେଇଛି। କିନ୍ତୁ ଏଥିରେ ଅସନ୍ତୁଷ୍ଟ ରହିଛନ୍ତି ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସଞ୍ଜୟ ଦାସବର୍ମା। 

ଏହି ପରିସ୍ଥିତିରେ ତାଙ୍କୁ ସହାୟତା କରୁଛନ୍ତି ମହେଶ୍ୱର ମହାନ୍ତିଙ୍କ ପୁଅ ତଥା ବିଧାୟକ ସୁନୀଲ ମହାନ୍ତି। ପୁରୀରେ ଉମାଙ୍କ ସାଂଗଠନିକ ପ୍ରବେଶକୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ଏପରିକି ପୁରୀର ଏହି ବିବାଦ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଣୁ ବିବାଦକୁ ସମାଧାନ କରିବାପାଇଁ ପ୍ରତାପ ଦେବଙ୍କୁ ଦଳ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରତାପ ଏହି ବିବାଦକୁ ସମାଧାନ କରିବା ଲାଗି ପୁରୀର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ଏଥିରେ କାକଟପୁର ବିଧାୟକ, ପୁରୀ ବିଧାୟକ ଏବଂ ସଞ୍ଜୟ କେହି ଉପସ୍ଥିତ ନଥିଲେ। ଦଳ ଯଦିଓ ଏହାକୁ ସାଧାରଣ ବୋଲି କହୁଛି କିନ୍ତୁ ଏହା ଦଳୀୟ ସଂଗଠନକୁ ବିଭ୍ରାନ୍ତ କରିବା ଲାଗୁ ଆଉ ଏକ ବିହନ ପୋତା ହୋଇପାରେ। ଯାହାର ଫଳ ଆସନ୍ତା ଜିଲ୍ଲା ପରିଷଦ ନିର୍ବାଚନରେ ପଡ଼ିପାରେ। ଅର୍ଥାତ୍‍ ଉମାଙ୍କୁ ଥଇଥାନ ପୁରୀକୁ କି ପରିଣାମ ଦେବ ତାହାକୁ କେବଳ ଅପେକ୍ଷା ବ୍ୟତୀତ ଅନ୍ୟ ରାସ୍ତା ନାହିଁ।

About the Author