Advertisement
Article Detail0/zeeodisha/odisha3072298
Zee OdishaOdisha Stateସ୍ୱଚ୍ଛ ସର୍ବେକ୍ଷଣ ପାଇଁ BMCର ପ୍ରକ୍ରିୟା ଆରମ୍ଭ, ସହଯୋଗର ହାତ ବଢାଇଲେ ୧୩୦ ଶିକ୍ଷାନୁଷ୍ଠାନ

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ BMCର ପ୍ରକ୍ରିୟା ଆରମ୍ଭ, ସହଯୋଗର ହାତ ବଢାଇଲେ ୧୩୦ ଶିକ୍ଷାନୁଷ୍ଠାନ

ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବାକୁ ବିଏମ୍ ସି ପକ୍ଷରୁ ଆହ୍ୱାନ ଦିଆଯାଇଛି। ନିଜ ବିଦ୍ୟାଳୟରୁ ବାହାରୁଥିବା ବର୍ଜ୍ୟକୁ ଓଦା ଓ ଶୁଖିଲା ଅଲଗା ଅଲଗା କରି ଦେବା ସହ ବିପଦ ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ବର୍ଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଅଲଗା କରି ବିଏମ୍ ସି ସଫେଇ ଗାଡିକୁ ଦେବାକୁ ଅନୁରୋଧ କରାଯାଇଛି। 

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ BMCର ପ୍ରକ୍ରିୟା ଆରମ୍ଭ, ସହଯୋଗର ହାତ ବଢାଇଲେ ୧୩୦ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (BMC) ଅଂଚଳର ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ 50 ହଜାର ଟଙ୍କାର ନଗଦ ପୁରସ୍କାର ରାଶି। ଗୋଟିଏ ନୁହେଁ, ବିଏମ୍ ସିର ତିନୋଟି ଜୋନରେ 3ଟି ବିଦ୍ୟାଳୟକୁ 50 ହଜାର ଲେଖାଏଁ ଟଙ୍କା ମିଳିବ। ଏହି କଥା ଘୋଷଣା କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ। ଆଜି ବିଏମ୍ ସି ମୁଖ୍ୟାଳୟର ଏକାମ୍ର ହଲରେ ଅନୁଷ୍ଠିତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ଘୋଷଣା କରାଯାଇଛି।
 
    ସ୍ୱଚ୍ଛତାକୁ ସଂସ୍କାର ଅଭିମୁଖି କରିବାରେ ଶିକ୍ଷାନୁଷ୍ଠାନଗୁଡିକର ପ୍ରମୁଖ ଭୂମିକା ରହିଛି। ସହରର ପ୍ରତ୍ୟେକ କୋଣ ଅନୁକୋଣକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ, କେବଳ ବିଏମ୍ ସିର ନୁହେଁ, ନାଗରିକମାନଙ୍କର ମଧ୍ୟ କର୍ତ୍ତବ୍ୟ ଓ ଦାୟିତ୍ୱ ରହିଛି। ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବାକୁ ବିଏମ୍ ସି ପକ୍ଷରୁ ଆହ୍ୱାନ ଦିଆଯାଇଛି। ନିଜ ବିଦ୍ୟାଳୟରୁ ବାହାରୁଥିବା ବର୍ଜ୍ୟକୁ ଓଦା ଓ ଶୁଖିଲା ଅଲଗା ଅଲଗା କରି ଦେବା ସହ ବିପଦ ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ବର୍ଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଅଲଗା କରି ବିଏମ୍ ସି ସଫେଇ ଗାଡିକୁ ଦେବାକୁ ଅନୁରୋଧ କରାଯାଇଛି। 
 
କେବଳ ସେତିକି ନୁହେଁ, ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛ। ଏ ସଂପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ଅଭିଭାବଙ୍କୁ ମଧ୍ୟ ଅବଗତ କରାଇବା ଜରୁରୀ। ସହରର ପ୍ରତ୍ୟେକ ବାସିନ୍ଦା ଘରୁ ବା ବଗିଚାରୁ ବାହାରୁଥିବା ଯେ କୌଣସି ବର୍ଜ୍ୟକୁ ଏଣେତେଣେ ନ ପକାଇ ଓଦା, ଶୁଖିଲା ଓ ଇଲେକ୍ଟ୍ରୋନିକ୍ ବର୍ଜ୍ୟକୁ ଅଲଗା ଅଲଗା କରି ବିଏମ୍ ସି ସଫେଇ ଗାଡିକୁ ଦେବାକୁ କୁହାଯାଇଛି। 
 
 ଭୁବନେଶ୍ୱରର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ରାସ୍ତା, ପାର୍କ, ଖେଳ ପଡିଆ, ଡ୍ରେନ, କଞ୍ଜରଭେନ୍ସି ଲେନ୍, ଜଳାଶୟ, ମନ୍ଦିର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ଯେପରି ସ୍ୱଚ୍ଛ ଓ ସବୁଜ ରହିବ, ସେଥିପାଇଁ ସମସ୍ତେ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ଆଗାମୀ ଦିନରେ ସ୍ୱଚ୍ଛ ସହର ତାଲିକାର ଏକ ନମ୍ବର ସ୍ଥାନରେ ଯେପରି ଭୁବନେଶ୍ୱର ରହିବ, ସେଥିପାଇଁ ବିଏମ୍ ସି ଅଂଚଳର ଆବାଳ ବୃଦ୍ଧ ବନୀତା ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ସ୍ୱଚ୍ଛତା ନୁହେଁ, ପରିବେଶକୁ ସବୁଜୀକରଣ କରିବା ଦରକାର ବୋଲି ସେ କହିଛନ୍ତି।
 
 ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶକ୍ରମେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଦ୍ୟାଳୟ ପରିବେଶ ପରିଷ୍କାର ରଖିବା ପାଇଁ  ନିଜ ନିଜର ସ୍ୱତନ୍ତ୍ର ଯୋଜନା କରିବାକୁ କୁହାଯାଉଛି । ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱତନ୍ତ୍ର ଭାବେ ତାଲିମ ଦେବା ସହ ସେମାନଙ୍କ ମଧ୍ୟରେ ସ୍ୱଚ୍ଛତା ତଥା ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ କୁହାଯାଇଛି। 
 
ଆସନ୍ତା ଫ୍ରେବୃଆରୀ ମାସରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ। ଏଥିପାଇଁ କେନ୍ଦ୍ରୀୟ ଟିମ୍  କିମ୍ବା ତୃତୀୟ ପକ୍ଷ ଭୁବନେଶ୍ୱର ନିଶ୍ଚିତ ଭାବେ ପରିଦର୍ଶନରେ ଆସିବେ। ଏଥିପାଇଁ ଆମ ସହରର ପରିମଳ ପରିଚାଳନା ନିୟମ ମାନନ୍ତୁ ଏବଂ ଅନ୍ୟକୁ ମଧ୍ୟ ସଚେତନ କରାଇବାକୁ ଅନୁରୋଧ କରାଯାଇଛି। ପ୍ରତ୍ୟେକ ନାଗରିକ ନିଜ ଘରୁ ବାହାରୁଥିବା ବର୍ଜ୍ୟକୁ ଅଲଗା ଅଲଗା କରି ଦେବା ସହ ଆଖପାଖ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ଏହାକୁ ଏକ ଅଭ୍ୟାସରେ ପରିଣତ କରିବା। ଏହି ତାଲିମ କାର୍ଯ୍ୟକ୍ରମରେ 130ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସହିତ ଆଇଇସି ଆସିଷ୍ଟାଣ୍ଟମାନେ ମଧ୍ୟ ଯୋଗଦେଇଥିଲେ। 
 
     ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପରିମଳ ଉପାୟୁକ୍ତ ଶ୍ରୀ ଏନ୍  ଗଣେଶ ବାବୁ।
Add Zee News as a Preferred Source
About the Author