)
Kendujhar News: କେନ୍ଦୁଝର: ହାତରେ କୋଦାଳ ଆଉ କାନ୍ଧରେ ବୋଝ। ପରିବାରର ୩ ସଦସ୍ୟଙ୍କ ପେଟରେ ଦୁଇ ମୁଠା ଦାନା ପାଇଁ ଦିନେ ଶିଶୁ ଶ୍ରମିକ ପାଲଟିଥିବା କେନ୍ଦୁଝରର ରାଣୀ ହେମ୍ବ୍ରମ ଡାକ୍ତରାଣୀ ହେବାକୁ ଯାଉଛନ୍ତି। ରାଣୀ ହେଉଛନ୍ତି କେନ୍ଦୁଝରର ହାଟଡିହି ବ୍ଲକର ଢେଙ୍କା ପଞ୍ଚାୟତର ବୀଣାପାଟିର ଗାଁର ଆଦିବାସୀ ଛାତ୍ରୀ। ପରିସ୍ଥିତିରେ ପଡି ଶିଶୁ ଶ୍ରମିକ ପାଲଟିଥିବା ରାଣୀ ନିଜର ଦୃଢ ଇଚ୍ଛ ଶକ୍ତି ବଳରେ ଡାକ୍ତରାଣୀ ହେବାକୁ ଯାଉଛନ୍ତି। । କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି। ମାଟ୍ରିକ୍ ପରୀକ୍ଷାରେ ୫୧୧ ନମ୍ବର ରଖି ଲୋକଲୋଚନକୁ ଆସିଥିବା ଜନଜାତି ଝିଅ ରାଣୀ ଏବେ ଡାକ୍ତରୀ ପଢ଼ିବାପାଇଁ ଯୋଗ୍ୟ ବିବେଚିତ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।
ଏଠାରେ କହି ରଖୁ କି ପରିସ୍ଥିତି ଦିନେ ପରିବାର ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିବାକୁ ଶିଶୁ ଶ୍ରମିକ ହୋଇ ମାଟି ବୋହୁଥିଲେ ରାଣୀ। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଦିନରେ କାମ କରିବା ସହିତ ରାତିରେ ନିଜର ପାଠ ପଢାଶେଷ କରୁଥିଲେ। କରୋନା ସମୟରେ ବାପା ସାଲ୍ଖାନ୍ ହେମ୍ବମଙ୍କ ଦେହାନ୍ତ ପରେ ମା’ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିବା ପରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ରାଣୀ ବିଧବା ମା' ଓ ଦୁଇ ଭାଇଭଉଣୀଙ୍କ ଲାଗି ମୁଠାଏ ଦାନା ଯୋଗାଡ଼ କରିବାକୁ ହାତରେ କୋଦାଳ ଧରି ମୂଲ ଲାଗିବାକୁ ବାହାରି ଯାଇଥିଲେ।
ସୋସୋ ଗାଁକୁ କାମ କରିବାକୁ ଯାଉଥିବା ସମୟରେ ହାଟଡିହି ବ୍ଲକ୍ର ଅଙ୍ଗନବାଡ଼ି ସୁପରଭାଇଜର ନିରୁପମା ରାଉତ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ରାଣୀ ଦିନରେ ମୂଲ ଲାଗିବା ପରେ ରାତିରେ ପାଠପଢ଼ି ସଫଳତା ହାସଲ କରିଥିବା ଶୁଣିବାକୁ ପାଇଥିଲେ। ତାଙ୍କୁ କିପରି ଉଚ୍ଚଶିକ୍ଷା ମିଳିବ ସେ ଦିଗରେ ଉଦ୍ୟମ କରିଥିଲେ। ରାଣୀଙ୍କ ସଂଘର୍ଷର କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ବ୍ୟକ୍ତି ଓ ସଂଗଠନ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ଯଶୋଦା ମା’ ଫାଉଣ୍ଡେସନ୍ର ନିବେଦିତା ଲେଙ୍କାଙ୍କ ସହଯୋଗକ୍ରମେ ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ଯୁକ୍ତ ୨ ପଢ଼ିବାକୁ ସୁଯୋଗ ପାଇବା ସହ ପରବର୍ତ୍ତୀ ସମୟରେ ମେଡିକାଲ କୋଚିଂ ନେଇଥିଲେ।
ଗାଁର ସୁନା ଝିଅ ରାଣୀ ହେମ୍ବ୍ରମ୍ ଙ୍କୁ ଭେଟି ସଭିଏଁ ଅଭିନନ୍ଦନ ଜଣାଉଛନ୍ତି । ଆଦିବାସୀ ଛାତ୍ରୀ ଭାବେ ଖଣ୍ଡମଣ୍ଡଳରେ ପ୍ରଥମ ଥର ପାଇଁ ଡ଼ାକ୍ତରୀ ପଢ଼ିବା ପାଇଁ କୃତିତ୍ଵ ହାସଲ କରିଛନ୍ତି ରାଣୀ ହେମ୍ବ୍ରମ୍ । ପଡ଼ୋଶୀଙ୍କ ସହିତ, ଘର ଲୋକ ମଧ୍ୟ ଖୁସିର ବିଭୋର ହୋଇ ଉଠିଛନ୍ତି । ଆଉ ଅଳ୍ପ କେଇଟା ଦିନ ପରେ ରାଣୀ ଡାକ୍ତରାଣୀ ହେବାର ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ମଧ୍ୟ ମେଡିକାଲ ପଢିବାକୁ କିଛି ଅର୍ଥ ର ଆବଶ୍ୟକତା ରହିଛି। ଯଦି କେହି ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରନ୍ତି ତେବେ ତାଙ୍କ ସ୍ବପ୍ନ ସାକାର ହୋଇ ପାରିବ ବୋଲି ରାଣୀ କହିଛନ୍ତି।
ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା। ଦିନ ମଜୁରିଆ ରାଣୀ ଡାକ୍ତରାଣୀ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଖୁସିର ଲହରୀ।