Advertisement
Article Detail0/zeeodisha/odisha2743955
Zee OdishaOdisha Stateକେନ୍ଦୁଝରରେ ଅନେକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଅନେକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା, ୩୫ ହଜାର କୋଟି ଟଙ୍କାରେ JSW ପ୍ରତିଷ୍ଠା କରିବ ଇସ୍ପାତ କାରଖାନା । ଆଗକୁ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କେନ୍ଦୁଝର ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦୁଝରରେ ଅନେକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କେନ୍ଦୁଝର: ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଳ୍ପବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ ଧରଣୀଧର। ମହାନ ବିପ୍ଲବୀ ଧରଣୀଧର ଓଡ଼ିଶାରେ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ଦେଇଥିବା ଏକ ଦୃଢ ସଂଘର୍ଷୀ ନାୟକ। ତାଙ୍କ ଦୃଢ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଆଜି ଯୁବପିଢି ପାଇଁ ପ୍ରେରଣା ସ୍ରୋତ। ରାଜ୍ୟ ସରକାର ତାଙ୍କ ସ୍ମୃତିକୁ ଅମର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ପୂଜ୍ୟପୂଜା ପରମ୍ପରାକୁ ଗୁରୁତ୍ୱ ଦେଇ ଆଜି ଆମ ସରକାର ସାରା ଓଡିଶାରେ ମହାପୁରୁଷ ମାନଙ୍କ ଜୟନ୍ତୀ ସେମାନଙ୍କ ଜନ୍ମ ମାଟିରେ ପାଳନ କରୁଛି । ଏହାହିଁ ଆମ ଅସ୍ମିତାର ପରିଚୟ। 

ଧରଣୀଧରଙ୍କ ଜୀବନୀ ହିଁ ଆମକୁ ଅଖଣ୍ଡତା ଓ ବିକାଶର ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷା ପ୍ରଦାନ କରେ। ଜୀବନର ପ୍ରଥମ ଭାଗ ସେ ବିଦ୍ରୋହ କରି ସ୍ୱାଧୀନତାର ଅଗ୍ନି ଜଳାଇଥିଲେ ଓ ଶେଷ ଭାଗକୁ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ଦେଶର ସ୍ୱାଧୀନତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିଲେ। ଆଜି ଧରଣୀଧର ନାହାନ୍ତି, ତାଙ୍କ ସ୍ମୃତି ଅଛି। ବିପ୍ଲବ କରିବାର ଯେଉଁ ଚେତନା ସେ ସୃଷ୍ଟି କରିଥିଲେ, ସେ ଚେତନା ଅଛି। ଆଜି ସ୍ୱାଧୀନତା ପାଇଁ ଲଢିବାର ନାହିଁ। ଆଜିର ସମୟ ହେଉଛି ବିକାଶ ପାଇଁ ଲଢିବାର ସମୟ। ଦୀର୍ଘ ଦିନ ଧରି କେନ୍ଦୁଝରକୁ ଯେଉଁ ଅବହେଳା ହୋଇଥିଲା, ତାକୁ ଦୂର କରିବାର ସମୟ ଆଜି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Add Zee News as a Preferred Source

ଲଢେଇ କରି ବଞ୍ଚିବା ପାଇଁ ଏ ମାଟିର ବରପୁତ୍ର ଧରଣୀଧର ଆହ୍ୱାନ ଦେଇଥିଲେ ଏବଂ ସେହି ଆହ୍ୱାନକୁ କାମରେ ଲଗାଇ ଆଜି ମୁଁ ମୋ ରାଜ୍ୟର ସେବା କରିବାର ସୁଯୋଗ ପାଇଛି। ଏ ମାଟିର ଶକ୍ତି ଆମକୁ ଆହୁରି ସଶକ୍ତ କରିଛି ଏବଂ ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଏହି ଶକ୍ତି ଆମକୁ ପ୍ରେରଣା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧରଣୀଧରଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ। ଯେଉଁ ସ୍ମୃତି ପୀଠ ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି ସେଥିରେ ଧରଣୀଧରଙ୍କ ପୈତୃକ ବାସ ଗୃହର ସଂରକ୍ଷଣ କରାଯିବ ଏବଂ ତାଙ୍କ ବ୍ୟବହୃତ ସାମଗ୍ରୀ ଗୁଡିକୁ ସୁରକ୍ଷିତ କରି ରଖାଯିବ। ଧରଣୀଧରଙ୍କ ଘର ପାଖରେ ଦୁଇ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହିତ ଏକ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏହାକୁ ଏକ ପର୍ଯ୍ୟଟନ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରରେ ଖୁବଶୀଘ୍ର ଜେଏସ୍‌ଡବ୍ଲୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଷ୍ଟିଲପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥି ସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକ ଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପ ଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ଯାହା ଦ୍ୱାରା କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ। 

କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିପ୍ଲବୀ ଧରଣୀଧରଙ୍କୁ ସ୍ୱାଭିମାନର ପ୍ରତୀକ ବୋଲି କହିବା ସହିତ ତାଙ୍କ ଜୀବନୀରୁ ପ୍ରତ୍ୟେକ ବର୍ଗ ଅନୁପ୍ରାଣିତ ହେବା ପାଇଁ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର କାଙ୍ଗାଳି ଚରଣ ନାଏକଙ୍କୁ ଧରଣୀଧର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଢ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ। 

କାର୍ଯ୍ୟକ୍ରମରେ ବିପ୍ଲବୀ ଧରଣୀଧର ନାଏକଙ୍କ ବଂଶଧର ଶ୍ରୀ କଳାକର ନାଏକ ଯୋଗଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ଶ୍ରୀମତୀ ମମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

About the Author