ଭୁବନେଶ୍ୱର: ମହିଳାଙ୍କ ବିରୋଧରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେତେବେଳେ ଦୁଷର୍ମ ତ କେତେବେଳେ ବଳାତ୍କାର ଆଉ କେତେବେଳେ ଅପହରଣ ପୁଣି ଯୌତୁକ ନିର୍ଯାତନା, ଏସିଡ୍ ଆକ୍ରମଣ, ଇଭ ଟିଜିଙ୍ଗ୍ ଭଳି ଜଘଣ୍ୟ କାଣ୍ଡ- ଏଭଳି ଅପରାଧରେ ପୀଡ଼ିତ ହେଉଛନ୍ତି ନିରୀହ ମହିଳା। ଅର୍ଥାତ୍ ଘରୁ ବାହାରିଲେ ବା ଘର ଭିତରେ ରହିଲେ ଅଥବା ପେସା-ବେଉସା ପାଇଁ ଅଫିସକୁ ଆସିଲେ ବି ତାଙ୍କୁ ନିସ୍ତାର ମିଳୁ ନାହିଁ। ଖୋଦ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସର ସଫଳତାର କାରନାମାକୁ ଅନୁଶୀଳନ କରିବା ଲାଗି ନଥି ଓଲଟାଇବା ବେଳେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି। ଯାହା ସାରା ରାଜ୍ୟକୁ ଚହଲାଇଦେବ।
ଏଭଳି ଅପରାଧଗୁଡ଼ିକ ସମ୍ବନ୍ଧରେ କୁହାଯାଏ ଯେତିକି ମାମଲା ପୁଲିସ ପାଖରେ ପହଞ୍ଚେ ତାଠୁ ଢେରଗୁଣା ଅଧିକ ମାମଲା ମନ ଭିତରେ ଚପି ହୋଇଯାଏ। ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପୁଲିସ ପାଖରେ ଯେତିକି ମାମଲା ପଞ୍ଜିକୃତ ହୋଇଛି ତାହାକୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ। କାରଣ ଏ ସଂଖ୍ୟା ହେଉଛି ୩୭ ହଜାର ୬୧୧। ଏହି ମାମଲାଗୁଡ଼ିକ ଭିତରେ ୨୯୩୩ଟି ଦୁଷ୍କର୍ମ ମାଲା ରହିଛି। ୯୧୮୧ ମାମଲା ହେଉଛି ବଳାତ୍କାର ସମ୍ବନ୍ଧିତ, ୧୨୭୮ ଜଣ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ୮୨୨୭ ଜଣ ମହିଳାଙ୍କୁ ଅପହରଣ କରାଯାଇଛି। ୫୪୬୪ଜଣଙ୍କୁ ଯୌତୁକ ପାଇଁ ଏବଂ ୬୧୩୪ଜଣଙ୍କୁ ଶ୍ୱଶୂର ଘରେ ନିର୍ଯାତନା ମିଳିଥିବା ଅଭିଯୋଗ ହୋଇଛି। ୩୩୪ଜଣଙ୍କ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
୧୫ ମାସର ଏ ବିବରଣୀକୁ ଗମ୍ଭୀର ଭାବେ ଅନୁଶୀଳନ କଲେ ଏହା ସ୍ପଷ୍ଟ ହୁଏ ଯେ, ଗୋଟିଏ ଦିନରେ ୮୩ ଜଣ ମହିଳାଙ୍କ ଉପରେ ଏପରି ଅପରାଧ ହୁଏ, ଯେଉଁମାନେ ପୁଲିସ ପାଖରେ ନିଜ ଉପରେ ହୋଇଥିବା ଅପରାଧକୁ ଦାୟର କରିବା ପାଇଁ ସାହସ କରିପାରନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ତଥା ଦଣ୍ଡ ବିଧାନ କଥା କହିଲେ ତାହା ଆକାଶ କଇଁ ଚିଲିକା ମାଛ ସଦୃଶ ପ୍ରତୀତ ହୁଏ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବାର ଉତ୍ତରକୁ ଦେଖିଲେ ଏ ବିଷୟ ସ୍ପଷ୍ଟ ଜଣାପଡ଼େ। କେବଳ ଦୁଷ୍କର୍ମ ମାମଲାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଗତ ଦେଢ଼ ବର୍ଷ ଭିତରେ ରାଜ୍ୟରେ ୪ହଜାର୫୪୪ ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସହ ସମ୍ପୃକ୍ତ ଥିବା ୩୮୦୫ ଜଣ ପୁରୁଷ ଏବଂ ୫୭ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି। ସେମାନେ କୋର୍ଟ ଚାଲାଣ ହୋଇଛନ୍ତି କିନ୍ତୁ ମାତ୍ର ୩୯୪ ଜଣ ହିଁ ଦଣ୍ଡ ଭୋଗିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟମାନଙ୍କ ବିରୋଧରେ ଥିବା ମାମଲାର ବିଚାର ଚାଲିଛି। ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ପବାହିନୀପତିଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।