)
ଯାଜପୁର: ଖରସ୍ରୋତା ନଦୀରେ ଆତଙ୍କ ଖେଳାଇଛି କୁମ୍ଭୀର । ବିଂଝାରପୁର ଅନ୍ତର୍ଗତ ଘଣ୍ଟିଆଳି-କନ୍ତିଆ ବ୍ରିଜ୍ ନିକଟରେ ଜଣେ ମହିଳାଙ୍କୁ ନଦୀ ଭିତରକୁ ଟାଣିନେଇ ଝିଣି ଝିଣି ଖାଇଛି । ନଦୀ ବ୍ରିଜ୍ ଉପରୁ ଶହ ଶହ ଲୋକ ଏହି ଲୋମଟାଙ୍କୁରା ଦୃଶ୍ୟ ଦେଖିବା ସହ ନିଜ ମୋବାଇଲରେ ରେକର୍ଡ କରିଛନ୍ତି । ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ କୁମ୍ଭୀର ଭୟରେ ମହିଳାଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ଯିବା ପାଇଁ କେହି ସାହସ ଜୁଟାଇ ପାରିନଥିଲେ ।
ସୂଚନା ମୁତାବକ, କନ୍ତିଆ ଗ୍ରାମର ସୁକଦେବ ମହଲାଙ୍କ ପତ୍ନୀ ମୀନା ମହଲା (୬୦) ଶୌଚ ହେବା ପାଇଁ ଆଜି ସନ୍ଧ୍ୟାରେ ନଦୀ କୂଳକୁ ଯାଇଥିଲେ । ହେଲେ ନଦୀ କୂଳରେ ଛପି ରହିଥିବା କୁମ୍ଭୀର ଅଚନାକ ମୀନାଙ୍କ ଉପରେ ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିଲା । ମୀନା ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ ମଧ୍ୟ ଉପାୟଶୂନ୍ୟ ହୋଇପଡିଥିଲେ । ବର୍ଷା କାରଣରୁ ନଦୀରେ ପାଣି ଅଧିକ ରହିଥିବାରୁ ସାହସୀ ଯୁବକଙ୍କ ମନରେ ମଧ୍ୟ ମୀନାଙ୍କୁ ଉଦ୍ଧାର କରିବା ପାଇଁ ଭୟ ଆସିଥିଲା ।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ, ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ଟିମ୍ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ମୀନାଙ୍କର କୌଣସି ସନ୍ଧାନ ମିଳିନଥିଲା । ରାତି ଅନ୍ଧାର ଅଧିକ ହେବା କାରଣରୁ ବାଧ୍ୟ ହୋଇ ଦମକଳ ଟିମ୍ କୂଳକୁ ଫେରିଥିଲେ ।
ଅନ୍ୟପଟେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନଦୀ କୂଳିଆ ଲୋକଙ୍କ ମନରେ ଛନକା ପଶିଛି । କେହି ନଦୀ କୂଳକୁ ଯିବାକୁ ଭୟ କରୁଛନ୍ତି । ଗୃହପାଳିତ ପଶୁଙ୍କୁ ମଧ୍ୟ ନଦୀ ନିକଟକୁ ଯିବାକୁ ଦେଉନାହାନ୍ତି ଲୋକେ । ବନବିଭାଗ ତୁରନ୍ତ କୁମ୍ଭୀରକୁ ଧରିବା ଉଚିତ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏଥିସହ ମୃତ ମହିଳାଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
Also Read- କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବଢିଲା