)
Odisha News: ଭୁବନେଶ୍ୱର: କଟକର ଚୌଦ୍ୱାର ଥାନାରେ ଜଣେ ଯୁବକଙ୍କ ହାଜତ ମୃତ୍ୟୁ ଘଟଣାରେ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ହାଜତ ମୃତ୍ୟୁ ସମ୍ବନ୍ଧୀୟ ପ୍ରାଥମିକ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଚୌଦ୍ବାର ଥାନାର ସବ୍ଇନ୍ସପେକ୍ଟର ନିରଞ୍ଜନ ଗୋଡ଼ା ଏବଂ କନଷ୍ଟେବଳ କମଳ ଲୋଚନ ମାଝୀଙ୍କୁ ନିଲମ୍ବନ କରାଯାଇଥିଲା।
ରବିବାର ଦିନ ଢେଙ୍କାନଳ ର ଯୁବକ ରସାନନ୍ଦ ନାୟକଙ୍କୁ ବାଇକ୍ ଚୋରି ଅଭିଯୋଗରେ ଚୌଦ୍ୱାର ଥାନା ପୁଲିସ ଗିରଫ କରିଥିଲା। ତାଙ୍କଠାରୁ ଦୁଇଟି ଚୋରି ଗାଡ଼ି ଜବତ କରିଥିବା ସୂଚନା ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଥାନା ଅଧିକାରୀ ଓ କର୍ମଚାରୀମାନେ ଅକଥନୀୟ ଅତ୍ୟାଚାର କରିଥିଲେ। ସିସିଟିଭି ଆଢ଼ୁଆଳରେ ତାଙ୍କୁ ମାଡ଼ ମରାଯାଇଥିବା ଅଅଭିଯୋଗ ହୋଇଥିଲା। ପରେ ତାଙ୍କ ମୃତ ଦେହ ମିଳିଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମଧ୍ୟ ଚେଷ୍ଟା ହୋଇଥିବା ଅଭିଯୋଗ ହୋଇଛି।
ଘଟଣାର ସମ୍ବେଦନଶୀଳତାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ ଆଦେଶ ଦେଇଥିଲେ। ସେମାବାର ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଆଇଆଇସି ବିଶ୍ୱରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।