)
କଟକ: ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ମୃତ ପୋଲିସ୍ କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରକୁ ଚେକ୍ ପ୍ରଦାନ କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଲବଣିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଦିଆ ଯାଇଥିବା ୧ କୋଟି ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶିର ଚେକ୍ ପ୍ରଦାନ କରିଛନ୍ତି ଡିଜିପି। ସ୍ୱଳ୍ପ ସମୟ ମଧ୍ୟରେ ବୀମା ରାଶି ପ୍ରଦାନ କରିବା ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଅଧିକାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ।
ଆପଣଙ୍କୁ କହିରଖୁଛୁ ଯେ, ମୃତ ଲବଣି ରାୟଗଡା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟ ଠାରେ କନଷ୍ଟେବଳ ଭାବେ ଚାକିରୀ କରୁଥିଲେ। ଗତ ଜୁଲାଇ ୫ ତାରିଖରେ ଥେରୁବାଲି ନିକଟରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ଲବଣି। ଆଜି ଲବଣିଙ୍କ ପିତା ବୃନ୍ଦାବନ ଗାଣ୍ଟା ଡିଜିପିଙ୍କ ଠାରୁ ଚେକ୍ ଗ୍ରହଣ କରିଥିଲେ।
ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏସବିଆଇ, (ଚିଫ ଜେନେରାଲ ମ୍ୟାନେଜର) ଏ. ଡି. ରତ୍ନାତେଜା, ଏସବିଆଇ, (ଜେନେରାଲ ମ୍ୟାନେଜର) କୌଶଲ କିଶୋର ସିଂ, ଏସବିଆଇ, (ଡେପୁଟି ଜେନେରାଲ ମ୍ୟାନେଜର) ଆଶିଷ କୁମାର ମିଶ୍ର, ଏସବିଆଇ, (ରିଜିଅନାଲ ମ୍ୟାନେଜର), ଉତ୍ତର କୁମାର ପଟେଲ, ଏସବିଆଇ, (ଏଜିଏମ) ନଗେନ୍ଦ୍ର ସାହୁ, ଏସବିଆଇ, (ଏଜିଏମ) ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶା ପୋଲିସ ଏବଂ ଭାରତୀୟ ଷ୍ଟେଟ ବ୍ଯାଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଚୁକ୍ତିପତ୍ର ଅନୁଯାୟୀ, SBI ପକ୍ଷରୁ ଦୁର୍ଘଟଣାର ଜନିତ ମୃତ୍ୟୁ ହୋଇଥିବାରୁ ପୋଲିସ କନଷ୍ଟେବଳଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।