)
Odisha News: ଭୁବନେଶ୍ଵର: ରାଜ୍ୟରେ ମୋଟ ୮୮.୬୬ ଲକ୍ଷ ପରିବାରରୁ ଏଯାବତ୍ ୬୮.୩୬ ଲକ୍ଷ ପରିବାରକୁ ଟ୍ୟାପ ସଂଯୋଗ କରାଯାଇଛି । ମୋଟ ୭୭.୧୦ ପ୍ରତିଶତ ଘରେ ଏପର୍ଯ୍ୟନ୍ତ ପିଇବା ପାଣି ପହଞ୍ଚିଲାଣି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ଆଜି ପ୍ରଶ୍ନକାଳରେ ବିଧାୟକ ଶାରଦା ଜେନା ଏବଂ ଅନ୍ୟ ପ୍ରଶ୍ନକର୍ତ୍ତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ରାଜ୍ୟ ସରକାର ଏକ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ସବୁ ଘରକୁ ପାଣି ପହଞ୍ଚାଇବା ପାଣି କାମ କରୁଛନ୍ତି। ସେହି ଅନୁଯାୟୀ ଆମେ କାର୍ଯ୍ୟ କରୁଛୁ। ତେଣୁ ବିଧାୟକ ମାନେ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆସନ୍ତା ୨୦୨୭ ଶେଷ ସୁଦ୍ଧା ଆମେ ରାଜ୍ୟର ପ୍ରତିଟି ଘରକୁ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେବୁ। ଏହି ସମୟ ସୀମା ସୁଦ୍ଧା ଆମେ ସମସ୍ତ ୨୦୭ ପ୍ରକଳ୍ପ କାମ ଶେଷ କରିବୁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସେହିପରି ଅତିରିକ୍ତ ପ୍ରଶ୍ନକର୍ତ୍ତା ଅଶୋକ ଦାସଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ଯେ ପାନୀୟ ଜଳ ପ୍ରକଳ୍ପରେ ଖିଲାପି ପାଇଁ କେନ୍ଦ୍ର ସରକାର ୬୫୩ ସଂସ୍ଥା ଏବଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାର ମଧ୍ୟ ମେଗା ପ୍ରକଳ୍ପକୁ ତ୍ୱରିତ କର୍ଯ୍ୟନ୍ଵୟନ ପାଇଁ ମାସର ୩ ଦିନ ସମୀକ୍ଷା ବୈଠକ କରୁଛନ୍ତି। ଯେଉଁଠି ପ୍ରକଳ୍ପକୁ ନେଇ ଅସୁବିଧା ରହିଛି, ସେଠାକୁ ମୁଁ, ବିଭାଗୀୟ ନିର୍ଦ୍ଦେଶକ ଓ ସର୍ବୋଚ୍ଚ ଯନ୍ତ୍ରୀ ଗସ୍ତ କରିବୁ । ପ୍ରକଳ୍ପ କାର୍ଯ୍ୟ ନିମ୍ନ ମାନର ହେଉଥିଲେ, ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ମନ୍ତ୍ରୀ କହିଥିଲେ।