Advertisement
Article Detail0/zeeodisha/odisha2676430

Top 10 News: ରେଡ୍ ସାରି ଫେରିବା ସମୟରେ ED ଟିମକୁ ଆକ୍ରମଣ ଏବଂ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ରେଡ୍ ସାରି ଫେରିବା ସମୟରେ ED ଟିମକୁ ଆକ୍ରମଣ ଏବଂ ଅନ୍ୟ ଖବର

Top 10 News Today

Headlines 01- ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା । ତେବେ ରେଡ୍ ସାରି ଫେରିବା ସମୟରେ ଭୁପେଶଙ୍କ ସମର୍ଥକମାନେ ଇଡି ଟିମ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଇଡି ଟିମ କାର ଉପରକୁ ଟେକା ପଥର ମାଡ଼ କରିଛନ୍ତି ଭୂପେଶଙ୍କ ସମର୍ଥକ । ଆପଣଙ୍କୁ କହିରଖୁଛୁ ଯେ, ମଦ ଦୁର୍ନୀତି ମାମଲାରେ ଭୂପେଶ ବଘେଲଙ୍କ ଘରେ ଇଡି ରେଡ୍ କରିଥିଲା। ଏକକାଳୀନ ୧୪ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଛି ।

Headlines 02- ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜି ବିଧାନସଭାକୁ ୩ ଥର ମୁଲତବୀ କରିଛନ୍ତି ବାଚସ୍ପତି । ବିରୋଧୀ ଦଳଙ୍କ ପକ୍ଷରୁ ମହିଳା ନିର୍ଯାତନା, ଜୟନାରାୟଣଙ୍କ ବୟାନ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଆଜି ହୋହଲ୍ଲା କରାଯାଇଥିଲା । କଂଗ୍ରେସ ପକ୍ଷରୁ 'ରାବଣ ଶାସନ' ଏବଂ ବିଜେଡି ପକ୍ଷରୁ ଜୟନାରାୟଣ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ୍ କରାଯାଇଥିଲା । ଉଭୟ ଦଳକୁ କାଉଣ୍ଟର କରିଥିଲା ବିଜେପି ।

Add Zee News as a Preferred Source

Headlines 03- ତନିଷ୍କ ଅଳଙ୍କାର ଶୋ’ରୁମରେ ପଶି କୋଟି କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଲୁଟେରା । ଆଜି ସକାଳ ୧୦ଟା ସମୟରେ ବିହାରର ଭୋଜପୁରରେ ଥିବା ତନିଷ୍କ ଅଳଙ୍କାର ଶୋ’ରୁମରେ ଏପରି ଘଟଣା ଘଟିଛି । ପ୍ରଥମେ କର୍ମଚାରୀମାନଙ୍କୁ ଧମକାଇବା ସହ ବନ୍ଧୁକ ଦେଖାଇଥିଲେ ଲୁଟେରାମାନେ । ତେବେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Headlines 04- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜ ଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେବାକୁ ମଧ୍ୟ ଗୃହରେ ଅନୁରୋଧ କରିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବା ବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ uncivilised ତଥା 'ଅସଭ୍ୟ' ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବାଧ୍ୟ ହୋଇ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

Headlines 05- ୧୮ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାକର୍ମୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ହଟିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସ୍ଥାୟୀ କର୍ମଚାରୀ ମାନ୍ୟତା ସହ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ମାସକୁ ୨୬ ହଜାର ଟଙ୍କା ପ୍ରଦାନ କରିବା ନେଇ ସରକାରଙ୍କ ନିକଟରେ ଦାବି କରୁଛନ୍ତି ଆଶା କର୍ମୀମାନେ । କେବଳ ସେତିକି ନୁହେଁ, ପେନସନ ବାବଦକୁ ୧୦ ହଜାର ଟଙ୍କା, ସ୍ମାର୍ଟଫୋନ ପାଇଁ ୧୦ ହଜାର ଟଙ୍କା ସହ ଅବସର ଓ ମୃତ୍ୟୁକାଳୀନ ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ସମେତ ଇପିଏଫ୍, ଇଏସ୍‌ଆଇ ସହ ଗ୍ରାଚ୍ୟୁଇଟି ଲାଗୁ, ପ୍ରସବକାଳୀନ ସବୈତନିକ ଛୁଟି ଓ ସାମାଜିକ ସୁରକ୍ଷା ଯୋଗାଇବା ନିମ୍ନତେ ସଂଘ ଦାବି କରିଛି ।

Headlines 06- ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓଡ଼ିଶାରେ ପହଞ୍ଚିଛନ୍ତି । ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'SSMB 29' ର ସୁଟିଂ ଆରମ୍ଭ ହୋଇଛି । କୋରାପୁଟରେ ମହେଶ ବାବୁ ଏବଂ ପୃଥ୍ୱୀରାଜ ସୁକୁମାରନଙ୍କ ସହିତ କିଛି ଆକ୍ସନ୍ ସିନ୍‌ର ସୁଟିଂ ଚାଲିଥିବା ସମୟରେ ଖୁବଶୀଘ୍ର ପିୟଙ୍କା ମଧ୍ୟ ସୁଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ସେଟ୍‌ରୁ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Headlines 07- ନୟାଗଡ଼ ଫତେଗଡ଼ରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଦ୍ୱିତୀୟ ବିବାହ କରିବା ପାଇଁ ବାପା ନିଜ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆସିଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Headlines 08- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ବିଜୁ ବାବୁଙ୍କ ନାଁ ନେଇ ବିଜେଡି ଦୀର୍ଘ ୨୪ ବର୍ଷ ଶାସନ କଲା କିନ୍ତୁ ବିଜୁଙ୍କ ପ୍ରତି ନବୀନଙ୍କ କେତେ ଭଲପାଇବା ଏବଂ ସମ୍ମାନ ଅଛି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବାବୁ ସିଂ କହିଛନ୍ତି ଯେ, 'ବିଜୁ ବାବୁଙ୍କ ଦଶାହ କାର୍ଯ୍ୟକ୍ରମରେ ନବୀନ ବାବୁ ନିଜେ ଲଣ୍ତା ହେବାକୁ ରାଜି ନଥିଲେ । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ଉପରେ ଚାପ ପଡ଼ିବା କାରଣରୁ ସେ ଲଣ୍ତା ହୋଇଥିଲେ।' ଏହା କଣ ବିଜୁ ବାବୁଙ୍କ ପ୍ରତି ନବୀନଙ୍କ ସମ୍ମାନ କି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । କେବଳ ସେତିକି ନୁହେଁ, ବିଜୁଙ୍କ ଅନ୍ତିମ ସଂସ୍କାର କଥା ଉଠାଇ ବାବୁ ସିଂ କହିଛନ୍ତି ଯେ, 'ବିଜୁଙ୍କ ଅସ୍ଥି ବିସର୍ଜନ କରିବା ତ ଦୂରର କଥା ତାହା ସଂଗ୍ରହ ମଧ୍ୟ କରିନଥିଲେ ନବୀନ' । 

Headlines 09- ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି। ଏହି କ୍ରମରେ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି।

Headlines 10- ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ପରେ ରହିଛି । ଆଜି ଦିନଟିରେ ବୌଦ୍ଧ ସବୁଠୁ ଉତ୍ତପ୍ତ ପାଲଟିଛି । ବୌଦ୍ଧରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ୩୭.୪ ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗିର ଦ୍ୱିତୀୟ ଉତପ୍ତ ସହର ବୋଲି ପରିଗଣିତ ହୋଇଛି । ସେହିପରି ମାଲକାନଗିରିରେ ୩୭.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ା ଏବଂ ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ଥିଲା ୩୭ ଡିଗ୍ରୀ । ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫, ସମ୍ବଲପୁରରେ ୩୬.୪, ଭୁବନେଶ୍ୱରରେ ୩୩.୮, କଟକରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

About the Author