)
ଖୁସିର କଥା ଯେ ଜଣେ ବହୁଚର୍ଚ୍ଚିତ କବି, ପ୍ରସିଦ୍ଧ ଗୀତିକାର ଓ ବିଚକ୍ଷଣ କଥାକାର ଭାବେ ଦୀର୍ଘବର୍ଷ ଧରି ଆଦୃତ ହୋଇଆସିଥିବା ସୁଖ୍ୟାତ ଲେଖକ ଦେବଦାସ ଛୋଟରାୟ ଚଳିତ ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପ୍ରଦତ୍ତ ‘ଶାରଳା ପୁରସ୍କାର’ ପାଇବାକୁ ଯାଉଛନ୍ତି। ୨୦୨୩ ମସିହାରେ ଟାଇମପାସ୍ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଏହି ଅବସରରେ ଶ୍ରୀ ଛୋଟରାୟଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ।
୨୫ ନଭେମ୍ବର ୧୯୪୬ରେ ଜନ୍ମିତ ଏହି ୭୮ ବର୍ଷୀୟ ଲେଖକ ଲାଲମାଛ, ରମାକୁ ମାରିବାର ପାଞ୍ଚଟି ଉପାୟ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ), ମ୍ୟାଟିନି ସୋ ଆଦି ଗଳ୍ପ ସଂକଳନ ସହିତ ଚୁମ୍ବନ, ବଡ଼ଘରର ଦାସୀ ଆଦି ଉପନ୍ୟାସର ସଫଳ କଥାକାର କେବଳ ନୁହନ୍ତି, ନୀଳ ସରସ୍ୱତୀ, ଦେଖିଛି ଦେଖିନି, ମଲ୍ଲିକା ଆଦି ଅନେକ ପାଠକପ୍ରିୟ କବିତା ସଂକଳନର ବି ସ୍ରଷ୍ଟା। ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଆସୁଥିବା ତାଙ୍କର ଆତ୍ମଜୀବନୀ ନିଃସନ୍ଦେହରେ ଅର୍ଦ୍ଧଶତାବ୍ଦୀର ଓଡ଼ିଆପଣର ଏକ ବଢ଼ିଆ ଉଦାହରଣ।