Odisha News: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା କାଣ୍ଡ ବାବଦରେ ସିବିଆଇ ତଦନ୍ତ ଦାବି କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିହତ ନବଙ୍କ ପତ୍ନୀ ମିନତୀ ଦାସ ଭେଟିବେ। ଏନେଇ ନବଙ୍କ ପରିବାର ପକ୍ଷରୁ ତାଙ୍କୁ ପତ୍ର ଯୋଗେ ସ୍ୱୀକୃତୀ ମଗାଯାଇଥିଲା। ମଙ୍ଗଳବାର ଦିନ ନବଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚର ଲମ୍ବା ସମୟ ଜେରା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମୟ ଦେଇଛନ୍ତି। ଆସନ୍ତୁ ନଜର ପକାଇବା ନବ ଦାସ ହତ୍ୟା ଘଟଣା ପଛରେ ୧୦ ପ୍ରମୁଖ ବିନ୍ଦୁ
1. ନବ କିଶୋର ଦାସଙ୍କୁ ଜାନୁୟାରୀ ୨୯, ୨୦୨୩ ମସିହାରେ କେହି ଜଣେ ହତ୍ୟା କରିଥିଲେ। ଜଣେ ସରକାରୀ ସୁରକ୍ଷା କର୍ମୀ ତଥା ପୁଲିସ ଏଏସ୍ଆଇ ଗୋପାଳ ଦାସଙ୍କୁ ଏନେଇ ଅଭିଯୁକ୍ତ କରାଯାଇଛି। ତାଙ୍କର ନାର୍କୋ ଆନାଲିସିସ୍ ମଧ୍ୟ ଶେଷ ହୋଇଛି କିନ୍ତୁ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏ ବାବଦରେ କିଛି ସ୍ପଷ୍ଟ ରିପୋର୍ଟ ଦେଇ ନାହିଁ।
2. ନବ କିଶୋର ଦାସ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତି ସହ ସମ୍ପୃକ୍ତ। ସେ ଝାରସୁଗୁଡ଼ାରୁ କଂଗ୍ରେସ ଟିକଟରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହେବା ପରେ ୨୦୧୯ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ଏବଂ ନିର୍ବାଚିତ ହୋଇଥିଲେ।
3. ତାଙ୍କର ହତ୍ୟା ପରେ ତାଙ୍କ ଝିଅ ଦୀପାଲୀ ଦାସ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କର ପରାଜୟ ହୋଇଛି।
4. ନିଜ ପାଖରେ ଗୋଟିଏ ଡବଲ୍ ବ୍ୟାରେଲ୍ ଗନ୍, ଗୋଟିଏ ରାଇଫଲ ଏବଂ ଗୋଟିଏ ପିସ୍ତଲକୁ ମିଶାଇ ୩ଟି ଭିନ୍ନ ଭିନ୍ନ ପ୍ରକାରର ବନ୍ଧୁକ ରଖିଥିଲେ ଖଣିଜ ପରିବହନ ବ୍ୟବସାୟୀ ତଥା ରାଜନେତା ନବ କିଶୋର ଦାସ।
5. ନିଜସ୍ୱ ଘୋଷଣା ଅନୁସାରେ ୩୪ କୋଟି ଟଙ୍କାର ମାଲିକ ଥିଲେ ନବ କିଶୋର ଦାସ। ଏହା ସହ ତାଙ୍କ ପାଖରେ ୮୦ରୁ ଅଧି ଗାଡ଼ି ଥିଲା। ପରିବାର ସହ ରାଜନୀତିକ ଥାଟବାଟ ବି ରହିଥିଲା। ଫରକ ଏତିକି ଥିଲା, ନବୀନଙ୍କ ସମ୍ପତ୍ତିରେ ପିତୃ ଅର୍ଜିତ ଧନ ଅଧିକ ଥିବାବେଳେ ନବଙ୍କ ସମ୍ପତ୍ତି ଥିଲା ସ୍ୱ ଅର୍ଜିତ। ସେଥିଲାଗି ସେ ଇଚ୍ଛା ଅନୁସାରେ ଦଳୀୟ ଟିକଟ ପାଉଥିଲେ ଏବଂ ଜିତିବାର କ୍ଷମତା ରଖିଥିଲେ।
6. ମୃତ୍ୟୁର ୧୦ ଦିନ ପୂର୍ବରୁ ନବ ଦାସ ତ୍ରିବେଣୀ ଅମାବାସ୍ୟା ଦିନ ମହାରାଷ୍ଟ୍ରର ସିଂଗନାପୁର ସ୍ଥିତ ଶନି ମନ୍ଦିରରେ ସ୍ୱର୍ଣ୍ଣ କୁମ୍ଭ ଦାନ କରିଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହା ଇଙ୍ଗିତ କରୁଛି ଯେ ସେ ତାଙ୍କର ହତ୍ୟା ବା ଜୀବନ ପ୍ରତି ବିପଦ ଥିବା ନେଇ ସଙ୍କେତ ପାଇଥିଲେ।
7. ହତ୍ୟା ପରେ ରକ୍ତ ଭିଜା ଶାର୍ଟ ହଜିଯିବାକୁ ନେଇ ପ୍ରଶ୍ନ ହୋଇଛି। ହତ୍ୟା ପରେ ସଙ୍ଗେ ସଙ୍ଗେ ଟଳିପଡ଼ିଥିବା ନବଙ୍କ ମର ଶରୀରକୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ଆଣିବା ନେଇ ପ୍ରଶ୍ନ ଉଠୁଛି। ଏହା ସହ ଯେଉଁ ଗୁଳି ତାଙ୍କ ଶରୀରରେ ବାଜିଛି ତାହା କେଉଁଠୁ ଆସିଛି ତାହା ବି ପ୍ରଶ୍ନ ଘେରରେ ରହିଛି। ଅର୍ଥାତ୍ ସରକାରୀ ବନ୍ଧୁକ ହୋଇଥିବାରୁ ଗୁଳିର ହିସାବ ମିଳିବା ଜରୁରୀ, ହେଲେ ତାହା ରେକର୍ଡ ସହ ମେଳ ଖାଉନି। ପୁଣି ଗୁଳିର ସମୟକୁ ନେଇ ବି ଦ୍ୱନ୍ଦ୍ୱ ରହିଛି। ଏସବୁ ଭିତରେ ସାଧାରଣ ଲୋକ ସେତେବେଳେ ନବଙ୍କୁ ସୁପାରି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
8. ବିରୋଧୀ ଦଳରେ ଥିବାବେଳେ କ୍ରାଇମ ବ୍ରାଞ୍ଚ ତଦନ୍ତ ଠିକଣା ବାଟ ଦେଇ ଯାଉ ନାହିଁ ବୋଲି ଅଭିଯୋଗ କରି ବିଜେପି ସିବିଆଇ ତଦନ୍ତ ଦାବି କରୁଥିଲେ। କିନ୍ତୁ ପରିବାର ଲୋକେ ତତ୍କାଳୀନ ଶାସକ ଦଳର କ୍ଷମତା ପ୍ରଲୋଭନରେ ନୀରବ ବସିଥିଲେ। ଏବେ ବିଜେପି ସରକାରରେ ଥିବା ବେଳେ ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କଲେ ଏହା ରାଜ୍ୟ ସରକାରଙ୍କ ଅପାରଗତା ତଥା କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ହରାଇବାକୁ ସ୍ପଷ୍ଟ କରିବ ଏଣୁ ସିବିଆଇ ତଦନ୍ତ ନେଇ ହରଡ଼ ଘଣାରେ ପଡ଼ିପାରନ୍ତି ମୋହନ ସରକାର।
9. ନବଙ୍କ ଭଳି ବିଜେଡିର ଅନେକ ଟାଣୁଆ ନେତା ରାଜନୀତିକ ମଇଦାନରୁ ସଫା ହୋଇଛନ୍ତି। ଭିନ୍ନ ଭିନ୍ନ କାରଣରୁ ସେମାନଙ୍କୁ ନିର୍ବାଚନ ଲାଗି ଟିକଟ ମିଳି ନାହିଁ ବା ଅପଦସ୍ତ ହୋଇଛନ୍ତି। ସେମାନଙ୍କ ଭିତରେ ଦାମୋଦର ରାଉତ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, କମଳା ଦାସ ଓ ଅନେକ ନେତା ସାମିଲ ରହିଛନ୍ତି।
10. ଯଦି ଠିକଣା ତଦନ୍ତ ହୁଏ ତେବେ ବିଜେଡି ଷଡ଼ଯନ୍ତ୍ରର ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି। ଏପରିକି ଏହା ବିଜେପିକୁ ବିଜେଡିର ରାଜନୀତିକ ଶକ୍ତିକେନ୍ଦ୍ରକୁ ଭେଦ କରିବାର ଶକ୍ତି ବି ଦେଇପାରେ।
Add Zee News as a Preferred Source