)
Bjd: ପାଣ୍ଡିଆନ୍ଙ୍କ ଦ୍ୱାରା ଅତ୍ୟନ୍ତ ଲାଭାନ୍ୱିତ ହୋଇଥିବା ଜଣେ ରାଜ୍ୟସଭା ସାଂସଦ ଏବେ ବିଜେଡି ନେତାଙ୍କ ଘର ଘର ବୁଲୁଥିବା ନେଇ ଚର୍ଚ୍ଚା ହେଉଛି।। ଦଳରେ ବିଭାଜନ ନୁହେଁ ବରଂ ସୁରୁଖୁରୁରେ କ୍ଷମତା ହସ୍ତାନ୍ତରଣ ପାଇଁ ନିବେଦନ କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ନବୀନ-ପାଣ୍ଡିଆନ୍ କମ୍ପାନୀ ଅଚାନକ ଦିଲ୍ଲୀ ଗଲାପରେ ଏବେ ବ୍ୟବସାୟୀରୁ ନେତା ହୋଇଥିବା ପୂର୍ବତନ ସାମ୍ବାଦିକଙ୍କ ଏହି ଦୁଆର ବିଜେକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି।
ବିଜୁ ଜନତା ଦଳକୁ ହାଇଜାକ୍ କରିବା ପାଇଁ ନବୀନଙ୍କ ସେବକ ଏବଂ ତାଙ୍କ ପତ୍ନୀ କିଛି ନେତାଙ୍କୁ ଏକାଠି କରିଥିବା ନେଇ ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚା ଯେ ସତ୍ୟ ତାହାକୁ ଅନୁଭବ କରିଛନ୍ତି ଦଳର ପୁରୁଣା ଓ ନୂଆ ନେତା। ସେଥିଲଗି ମିଡିଆ, ହାଟ, ବଜାର ଓ ନବୀନ ନିବାସ ସବୁଠି ବିଦ୍ରୋହର ଡାକରା ଦେଉଛନ୍ତି। ଏହି ଡାକରାରେ ଆଘାତ ହୋଇଛି ନବୀନଙ୍କ ପ୍ରତିଚ୍ଛବି ଓ ମାନସିକ ଅବସ୍ଥା। ଆଉ ସେଥିଲାଗି ସେ ଅଚାନକ ଦିଲ୍ଲୀ ଗସ୍ତରେ ରହିଥିବା କୁହାଯାଉଛି। ସେଠାରେ ପୁରୁଣା ବନ୍ଧୁଙ୍କୁ ଭେଟୁଛନ୍ତି। ତିନି ଦଶନ୍ଧି ତଳେ ଯେମିତି ଦିଲ୍ଲୀ ବନ୍ଧୁ ମାନଙ୍କ ସହ କଳା ଓ ସଂସ୍କୃତିର ଚର୍ଚ୍ଚା କରୁଥିଲେ ତାହାକୁ ଆପଣାଇଛନ୍ତି।
କିନ୍ତୁ ନବୀନଙ୍କ ଏହି ଟାଇମ୍ ପାସ୍ ସମୟରେ ବିଜେଡିର ନେତାମାନଙ୍କ ଭିତରେ ତାରତମ୍ୟ କମିଛି ତା’ ନୁହେଁ। ଉଭୟ ଗୋଷ୍ଠୀ ପରସ୍ପରକୁ ମଜଭୁତ କରିବା ଉଦ୍ୟମ କରିଛନ୍ତି। ପୁରୁଖା ନେତାମାନେ ବିଜେଡିର ନିଷ୍ପତ୍ତିକୁ ‘ଆପଣା ହସ୍ତେ ଜିହ୍ୱା ଛେଦି’ ବୋଲି କହୁଛନ୍ତି। ଏପଟେ ନୂଆ ଆଞ୍ଚଳିକ ଦଳର ବି ଆହ୍ୱାନ ଦେଇଛନ୍ତି। ନିରନ୍ତର ଭାବେ ବିଜୁବାବୁଙ୍କ ଚିନ୍ତାଧ଼ାରାକୁ ରକ୍ଷା କରିବା ଲାଗି କିଛି ନେତା ବିଜେଡିଠାରୁ ଅଲଗାର ହେବାକୁ ଚାହୁଁଛନ୍ତି। ଆଉ ଆଉ କିଛି ନେତା ପାଣ୍ଡିଆନ୍ଙ୍କ ସପକ୍ଷବାଦୀ ଭାବେ ନିଜର ବଳ ସାଉଁଟୁଛନ୍ତି। ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଦୂତ ପଠାଇ ଭେଟୁଛନ୍ତି। ନିଜ ସାଙ୍ଗରେ ରହିବାକୁ ନେହୁରା ହେଉଛନ୍ତି। ଏହି କାର୍ଯ୍ୟ ଜଣେ ସାଂସଦଙ୍କ ହାତରେ ନ୍ୟସ୍ତ କରାଯାଇଛି। ଯିଏ ନିଜର ବ୍ୟବସାୟିକ ସାମ୍ରାଜ୍ୟ ପାଣ୍ଡିଆନ୍ ଓ ତାଙ୍କର ଅନ୍ୟତମ ଅଫିସର ସହଯୋଗୀ କୁଟ୍ଟେଙ୍କ ଆଶୀର୍ବାଦରେ ବୃଦ୍ଧି କରିଛନ୍ତି। କୁହାଯାଏ ଏହି ଅଧିକାରୀମାନଙ୍କ କଳାଧନକୁ ସେ ନିଜ ବ୍ୟବସାୟିକ ସାମ୍ରାଜ୍ୟରେ ନିବେଶ କରିଛନ୍ତି। ମିଡିଆଠାରୁ ଆରମ୍ଭ କରି ବ୍ରଏଲର ଫାର୍ମ, ପର୍ଯ୍ୟଟନଠାରୁ ଆରମ୍ଭ କରି ଜଙ୍ଗଲଜାତ ଦ୍ରବ୍ୟ କିଣାବିକା ଯାଏ ସେ ସାମିଲ ରହିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ପତ୍ନୀ ମଧ୍ୟ ଏହି ବ୍ୟବସାୟରେ ଜଡ଼ିତ। ରାଜ୍ୟର କିଛି ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ନିଜର ଅନୁଷ୍ଠାନ ଖୋଲି ଭତ୍ତା ଆକାରରେ ମୋଟା ଅଙ୍କ ଲାଭ କରୁଛନ୍ତି। ଏବେ ସେହି ବ୍ୟକ୍ତିଙ୍କୁ ପାଣ୍ଡିଆନ୍ ଅତ୍ୟନତ ବିଶ୍ୱସ୍ତ ଭାବେ ବିଭିନ୍ନ ବିଧାୟକଙ୍କ ସହ ବୁଝାମଣା କରିବା ପାଇଁ ନିୟୋଜନ କରିଥିବା କଥା ଚର୍ଚ୍ଚା ହେଉଛି।
ଏହା ପଛରେ କାରଣ ହେଉଛି ଦଳର ବିଭାଜନ ଓ ପ୍ରକୃତ ବିଜେଡି ପରିଚୟ ହରଣର ଭୟ। କାରଣ ଦଳ ବଦଳ ବିରୋଧୀ ଆଇନ ଏବଂ ୨୦୦୩ ମସିହାରେ ହୋଇଥିବା ଏହି ଆଇନର ୯୩ ତମ ସଂଶୋଧନ ଅନୁସାରେ କୌଣସି ପାର୍ଟିର ଦୁଇ ତୃତୀୟାଂଶ ସଦସ୍ୟ ଯଦି ଏକାଠି ହୋଇ ଦଳରୁ ବାହାରି ଯାଆନ୍ତି ତେବେ ସେମାନେ ଅନ୍ୟ ଦଳ ଗଠନ କରିପାରିବେ, ଅନ୍ୟ ଦଳରେ ମିଶି ପାରିବେ ବା ନିଜକୁ ଅରିଜିନାଲ ବୋଲି ପରିଚୟ ଦେଇପାରିବେ। ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଏହା ଦେଖିବାକୁ ମିଳିଛି। ଏହିକ୍ରମରେ ବିଜେଡିର ୫୧ ଜଣ ବିଧାୟକଙ୍କ ଭିତରୁ ୩୪ ଜଣ ବିଧାୟକ ଯଦି ଏକାଠି ହୁଅନ୍ତି ଏବଂ ରାଜ୍ୟସଭାର ୪ ଜଣ ସାଂସଦ ଯଦି ତାଙ୍କ ସହ ସେମିଲ ହୁଅନ୍ତି ତେବେ ଖେଳ ଆଉ ପାଣ୍ଡିଆନ୍ ବା ତାଙ୍କ ନବୀନଙ୍କ ହାତମୁଠାରେ ରହିବ ନାହିଁ। ସେମାନେ ପ୍ରକୃତ ବିଜେଡି ବୋଲି କହି ନବୀନଙ୍କୁ ଦଳରୁ ଅଲଗା କରିପାରନ୍ତି। ନିକଟ ଅତୀତରେ ରାଜ୍ୟସଭାରେ ସାଂସଦମାନଙ୍କ ଭିତରେ ମେନାମାଳିନ୍ୟ ଏବଂ ପରସ୍ପର ବିରୋଧୀ ଭୋଟ ଦାନ ଏହାକୁ ପ୍ରମାଣିତ କରିଛି। ଏହି କାରଣରୁ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମୟରେ ଦିଲ୍ଲୀ ଯାଇ ମଧ୍ୟ ନବୀନ ସବୁ ସାଂସଦଙ୍କୁ ଏକ ମନା କରିପାରି ନାହାନ୍ତି। ଏହାର ଅର୍ଥ ଦଳ ବିଭାଜନ ଆଡ଼କୁ ମୁହାଁଇଛି। ପୂର୍ବତନ ସାଂସଦ ତଥାଗତ ସତପଥି ଏହାକୁ ଠିକଣା ଭାବେ ଚିହ୍ନଟ କରିଛନ୍ତି। ଅର୍ଥାତ୍ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରିୟାପ୍ରୀତି ତୋଷଣ ଭାବ ବିଜେଡିକୁ ଭଙ୍ଗୁର କରିଛି। ଆଉ ଏହି ଭଙ୍ଗୁର ପରିସ୍ଥିତିରେ ଯଦି କୌଣସି ବାହ୍ୟ୍ ଶକ୍ତି ବିଦ୍ରୋହୀଙ୍କ ସହ ଏକାଠି ହୁଅନ୍ତି ତେବେ ପରିସ୍ଥିତି ‘ଅଖା ଧୋଉଥିବ ଗୁଣ ଗାଉଥିବ’ ଭଳି ହେବାର ଆଶଙ୍କା ରହିଛି।