)
(ପ୍ରେମାନନ୍ଦ ପୁଜାରୀ,ଗଜପତି): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାଵନ୍ଧ ଥାନା ଲାବଣ୍ୟଗଡ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟରେ ଥିବା ଜଗନ୍ନାଥ କାକୁ ଇଣ୍ଡଷ୍ଟ୍ରି ରେ ସୋମବାର ବିଳମ୍ବିତ ରାତ୍ର ସମୟ ରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାରୁ ଉର୍ଦ୍ଧ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନି କାଣ୍ଡରେ କାଜୁ ଫ୍ୟାକ୍ଟ୍ରି ର ମାଲିକ ବି.ଭି.ଜଗନ୍ନାଧ ରାଓ ଗୁରୁତର ଭାବେ ଆହତ ହୋଇ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାଯାଇଛି ।
ଘଟଣାରୁ ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତ୍ରରେ ଲାବାଣ୍ୟଗଡ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଥିବା କାଜୁ ଫ୍ରେକ୍ଟିରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ବାସିନ୍ଦା
ଦେଖି ମାଲିକ ଜଗନ୍ନାଧରାଓଙ୍କୁ ଖବର ଦେଇଥିଲେ । ମାଲିକ ଜଣକ ନିଜ କାଜୁ ଫେକ୍ଟ୍ରିରେ ପହଞ୍ଚି ହଠାତ କବାଟ ବାହାର କରିଦେଇଥିଲେ । ଫଳରେ ଫେକ୍ଟ୍ରି ଭିତରେ ଜଳୁଥିବା ନିଆଁ ଝାସରେ ସେ ଗୁରୁତର ଭାବେ ଆଘାତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏହାପରେ ଅଞ୍ଚଳବାସୀ ଗାରାବନ୍ଧା ଥାନା ଅଧିକାରୀ ପ୍ରଶାନ୍ତ ନିଶିକାଙ୍କୁ ଖବର ଦେଇଥିଲେ ।
ଶ୍ରୀ ନିଶିକା ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଅଗ୍ନିଶମବାହିନୀଙ୍କୁ ସୂଚନା ଦେଇଥିଲେ । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିଥିଲେ ସୁଦ୍ଧା ଦୀର୍ଘ 15 ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇପାରିନି । ବର୍ତ୍ତମାନ ମଧ୍ୟ ଉକ୍ତ ଫେକ୍ଟ୍ରିରୁ ଧୂଆଁ ବାହାରୁଛି ଏବଂ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ନିଆକୁ ଆୟତ୍ତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି ।
ସେପଟେ ଗତକାଲି ଦିପାବଳୀ ପର୍ବ ହୋଇଥିବାରୁ ସମସ୍ତ ପୋଲିସ କର୍ମଚାରୀମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ ମଧ୍ୟ ଅଗ୍ନିକାଣ୍ଡ ଘଟଣା ଶୁଣି ପୁଣି କର୍ମକ୍ଷେତ୍ରକୁ ଫେରି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ଅଗ୍ନିଶମ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଫେକ୍ଟ୍ରିରୁ ଧୂଆଁ ବାହାରୁଛି, ସମ୍ଭବତଃ କାଜୁ ଚୋପାରେ ତେଲ ଥିବା ଯୋଗୁଁ ନିଆଁ କୁହୁଳୁଛି । ତେବେ ଏପରି ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ଘଟିଥାଇପାରେ ବୋଲି କହିଛନ୍ତି । ଏନେଇ ଗାରାବନ୍ଧ ଥାନା ଅଧିକାରୀ ନିଶିକା କହିଛନ୍ତି ଯେ ତଦନ୍ତ ଜାରି ରହିଛି, ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରିବା ପରେ ଅଗ୍ନିଶମ ବିଭାଗ ଓ ପୋଲିସ ତଦନ୍ତ ପରେ ଅଗ୍ନିକାଣ୍ଡ ଘଟଣାର ସତ୍ୟାସତ୍ୟ ଜଣାପଡିବ ।
ଅନ୍ୟପକ୍ଷରେ କାଜୁ ଫେକ୍ଟ୍ରିର ମାଲିକଙ୍କ ପରିବାର ଲୋକେ କହିଛନ୍ତି ଯେ ଉକ୍ତ କାଜୁ ଫେକ୍ଟ୍ରିରେ ୧୨ଶହରୁ ୧୩ଶହ କାଜୁ ବସ୍ତା ଥିଲା । ଯାହାର ଆନୁମାନିକ ମୂଲ୍ୟ ୧କୋଟି ୭୦ ଲକ୍ଷ ଟଙ୍କା ହେବ । ଏହି କାଜୁ ବ୍ୟତୀତ ସମ୍ପୂର୍ଣ୍ଣ କାଜୁ ଇଣ୍ଡଷ୍ଟ୍ରି ଜଳି ପୋଡି ପାଉଁଶ ହୋଇଯାଇଛି । ବର୍ତ୍ତମାନ ମଧ୍ୟ ନିଆଁ ଲାଗି ଥିବାରୁ ପୋଲିସ୍ ଓ ଅଗ୍ନିଶମ ବିଭାଗ ଜେସିବି ମେସିନ ଲଗାଇ କାଜୁ ଇଣ୍ଡଷ୍ଟ୍ରିର ପାଚେରୀ ଗୁଡିକ ଭାଙ୍ଗାଯାଉଥିବାର ଦେଖିବାକୁ ମିଳିଛି ।