)
Crime News: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ତରଫରୁ ସମଗ୍ର ଓଡ଼ିଶାରେ “ଅଗ୍ନି” ଅଭିଯାନ ଆରମ୍ଭ କରାଯାଇଥିଲା। ଆସନ୍ତା ପର୍ବପର୍ବାଣି ବିଶେଷ କରି ଦୀପାବଳିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି।
ସମଗ୍ର ରାଜ୍ୟରେ ସର୍ବମୋଟ ୧୮୪ ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୪୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଆନୁମାନିକ ୮ କୋଟିରୁ ଉର୍ଦ୍ଧ ମୂଲ୍ୟର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। “ଅଗ୍ନି” ଅଭିଯାନ ଫଳରେ ରାଜ୍ୟରେ ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟରେ ରୋକ ଲାଗି ପାରିଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ରାଜ୍ୟ ପୋଲିସର ଏହି ପ୍ରୟାସ ପର୍ବ-ପର୍ବାଣୀ ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାକୁ ସୁନିଶ୍ଚିତ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନରେ ସମଗ୍ର ରାଜ୍ୟରେ ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ ଜିଲ୍ଲାରେ ସର୍ବାଧିକ ପରିମାଣର ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୫ କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମୋଟ ୧୦ ଟି ମାମଲା ରୁଜୁ ହୋଇଥିଲା ବେଳେ ୫ ଜଣଙ୍କୁ ଗିରଫ ଏବଂ ୫ ଜଣଙ୍କୁ ନୋଟିସ ଜାରି କରାଯାଇଛି।
ସେହିପରି ଗଞ୍ଜାମ ଜିଲ୍ଲାରେ ୨୧ ଲକ୍ଷ ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୪ ଟି ମାମଲା ରୁଜୁ ସହ ୪ ଜଣଙ୍କୁ ଗିରଫ ଏବଂ ୧୦ ଜଣଙ୍କୁ ନୋଟିସ ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲାରେ ୧୫ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୨୧ ଟି ମାମଲା ରୁଜୁ ଏବଂ ୨୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୧ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୭ ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି।