)
Odisha News: ଭୁବନେଶ୍ୱର: ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଉଡାନ ଯୋଜନାରେ ଭୁବନେଶ୍ୱରକୁ ରାଉରକେଲା ସହିତ ଯୋଡିବାକୁ ଯାଉଛନ୍ତି। ଆସନ୍ତା କାଲି ଅର୍ଥାତ ଶୁକ୍ରବାର ୫ ଡିସେମ୍ବର ଠାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାର ଦ୍ୱାରା ଏକ ବିମାନ ନିୟମିତ ରାଉରକେଲା ଯିବ। ସପ୍ତାହରେ ୬ ଦିନ ଚାଲିବାକୁ ଥିବା ଏହି ବିମାନ ଗୁରୁବାର ଦିନ ସେବା ବନ୍ଦ ରଖିବ। ଆଞ୍ଚଳିକ ବିମାନ ସଂଯୋଗ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସ୍ଥାପନ କରିବ ଏବଂ ରାଜ୍ୟର ବିଭିନ୍ନ ସହରକୁ ନିକଟତର କରି ସୁଯୋଗ ବୃଦ୍ଧି କରି ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏନେଇ ସୋସିଆଲ ମିଡିଆରେ ଏକ ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି ଶ୍ରୀ ମାଝୀ।
ରାଉରକେଲା ବିମାନ ବନ୍ଦର ୨୦୨୩ ଜାନୁଆରୀରେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି ବିମାନ ବନ୍ଦରରୁ ଏଟିଆର-୭୨ ବିମାନଟି ଉଡିପାରିବାର ବ୍ୟବସ୍ଥା ରହିଛି। ଏହି ବିମାନ ବନ୍ଦରରୁ ଅନେକ ଦିନ ହେଲା ବିମାନ ଚଳାଚଳ ବନ୍ଦ ରହିଥିଲା। ଏହି ରାଉରକେଲା ବିମାନ ବନ୍ଦର ସମୁଦାୟ ୫୦ ଜଣ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ରହିଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଏହି ବିମାନବନ୍ଦରରେ ବିମାନ ସେବା ପୁନର୍ବାର ଚାଲୁହେବ। ୧୬ ଜୁନ ୨୦୨୫ରେ ଏହି ସେବା ବନ୍ଦ ରହିଥିଲା।