)
Odisha News: ଭୁବନେଶ୍ୱର: ପ୍ରତି ମାସରେ ବିଧାୟକ ହୋଇଥିବା ଜନପ୍ରତିନିଧିଟି ସରକାରୀ ତହବିଲରୁ ନିଜ ଖର୍ଚ୍ଚ ପାଇଁ କେତେ ଟଙ୍କା ଉଠାଇଥାଆନ୍ତି। ପୁଣି ବିଧାୟକ ଜଣକ ମନ୍ତ୍ରୀ ହୋଇ ଯାଆନ୍ତି ତେବେ ତାଙ୍କ ଦରମା କେତେ ହୋଇଥାଏ। ଏବେ ଏ ପ୍ରଶ୍ନ ଆନ୍ଦୋଳିତ କରିବାର କାରଣ ପଛରେ ରହିଛି ବିଧାୟକ ତଥା ଜନପ୍ରତିନିଧିଙ୍କ ଦରମା ବୃଦ୍ଧି ନେଇ ହେଉଥିବା ଦାବି। ଆଜି ବିଧାନସଭାରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ଅନୁସାରେ ଜଣେ ବିଧାୟକ ମାସକୁ ଦରମା ଏବଂ ଭତ୍ତା ମିଶାଇଲେ ପ୍ରାୟ ଏକ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହା ସହିତ ଏଥିରେ ତାଙ୍କର ଦରମା ଥାଏ ୩୫ ହଜାର ଟଙ୍କା। ମାତ୍ର ଭତ୍ତା ଗୁଡିକୁ ମିଶାଇଲେ ସମୁଦାୟ ହୁଏ ୬୫ ହଜାର ଟଙ୍କା। ଏହି ୬୫ ହଜାର ଟଙ୍କାରେ ଘରଭଡା, ଯାତାୟତ, ବିଧାନସଭା ମଣ୍ଡଳୀ ଖର୍ଚ୍ଚ ଏବଂ ତାଙ୍କ ଷ୍ଟାଫଙ୍କ ଦରମା ପ୍ରମୁଖ ଅନ୍ତର୍ଭୁକ୍ତ ରହିଥାଏ। ଶେଷଥର ପାଇଁ ବିଧାୟକମାନଙ୍କର ଦରମା ୨୦୧୭ ମସିହାରେ ବଢିଥିଲା। ପ୍ରାୟ ୮ ବର୍ଷ ବିତିବାରୁ ଏବଂ ନୂଆ ସରକାର ଗଠନ ହୋଇଥିବାରୁ ବିଧାୟକମାନେ ନିଜର ଖର୍ଚ୍ଚ ପାଇଁ ଅଧିକ ଦରମା ଆଶା କରିଛନ୍ତି।
ଏବେ ଆସନ୍ତୁ ଜାଣିବା ଜଣେ କ୍ୟାବିନେଟ ମନ୍ତ୍ରୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ କେତେ ଦରମା ଏବଂ ଭତ୍ତା ପାଇଥାଆନ୍ତି। ପୂର୍ବ ବିଜ୍ଞପ୍ତି ଅନୁସାରେ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମାସକୁ ୪୦ ହଜାର ଟଙ୍କା ଦରମା ପାଆନ୍ତି। ରାଜ୍ୟପାହ୍ୟା ମନ୍ତ୍ରୀ ୩୮ ହଜାର ଟଙ୍କା ଦରମା ପାଆନ୍ତି। ହେଲେ ସେମାନେ ପାଉଥିବା ଭତ୍ତା ପରିମାଣ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହେବେ। ଜଣେ ମନ୍ତ୍ରୀଙ୍କୁ ସେ କ୍ୟାବିନେଟ ପାହ୍ୟା ହୁଅନ୍ତୁ ଅବା ରାଷ୍ଟ୍ରପାହ୍ୟା ତାଙ୍କୁ ମାସିକ ୧୭ ହଜାର ଟଙ୍କା ଗାଡି ବାବଦୀୟ ଭତ୍ତା ମିଳେ। ଅନ୍ୟାନ୍ୟ ଦେୟ ବାବଦକୁ ମାସିକ ୪୦ ହଜାର ଟଙ୍କା ମିଳେ। ସେହିପରି ବିଧାନସଭା ଚାଲିଥିବା ବେଳେ ଦିନ ପିଛା ୮୦୦ ଟଙ୍କା ତାଙ୍କୁ ମିଳିଥାଏ। ଅର୍ଥାତ ଅଧିବେଶନ ସମୟରେ ଉପସ୍ଥାନ ପକାଇଲେ ଏହି ୮୦୦ ଟଙ୍କା ତାଙ୍କୁ ଖାତାରେ ମିଳେ। ମେଡିକାଲ ଖର୍ଚ୍ଚ ବାବଦରେ ତାଙ୍କୁ ଭାରତ ସରକାରଙ୍କର ଗୃର ଏ ସେବା ଅଧିକାରୀ ହାରରେ ଖର୍ଚ୍ଚ ମିଳିଥାଏ। ପୁଣି କୌଣସି ସରକାରୀ କାର୍ଯ୍ୟରେ ବାହାରକୁ ଗଲେ ରାଜ୍ୟ ଭିତରେ ୧୫୦୦ ଟଙ୍କା ଏବଂ ରାଜ୍ୟ ବାହାରେ ୨୦୦୦ ଟଙ୍କା ମିଳିଥାଏ। ଅର୍ଥାତ ମାସକରେ ଯେତେ ଦିନ ଟୁର ବା ସରକାରୀ ଗସ୍ତରେ ରହିବେ ତାଙ୍କର ଭତ୍ତା ସେତିକି ବଢିବ। ପୁଣି ମାସକୁ ୧୫ ହଜାର ଟଙ୍କା ସେମାନେ ଟେଲିଫୋନ ବାବଦୀୟ ଖର୍ଚ୍ଚ ପାଇଥାଆନ୍ତି। ଏହା ଅଫିସ, ଘର, ଏବଂ ମୋବାଇଲ ଫୋନ ବାବଦୀୟ ଖର୍ଚ୍ଚକୁ ତୁଲାଇଥାଏ। ଆଜିକାଲି ମୋବାଇଲ ଫୋନରେ କଥାବାର୍ତ୍ତା ଶସ୍ତା ହେଲେ ମଧ୍ୟ ଏହି ଭତ୍ତା ମିଳିଚାଲିଛି। ପୁଣି ଯଦି ମନ୍ତ୍ରୀ ଜଣକ ନିଜର ଗାଡି କିଣିବାକୁ ଚାହିଁବେ ତେବେ ତାଙ୍କୁ ୮ ପ୍ରତିଶତ ସରଳ ସୁଦ୍ଧରେ ବିଧାନସଭା ୫ ଲକ୍ଷ ଟଙ୍କା ପ୍ରଦାନ କରେ।
ଆଉ ଗୋଟିଏ କଥା... ବିଧାୟକଙ୍କ ଘରେ ଯେତିକି ବିଜୁଳି ଖର୍ଚ୍ଚ ହୁଏ ତାର ୪୦ ପ୍ରତିଶତ ସରକାର ଦିଅନ୍ତି। ପୁଣି ଅତିଥି ଅଭ୍ୟାଗତ ପାଇଁ ମାସକୁ ୨ ହଜାର ଟଙ୍କା ସେମାନଙ୍କୁ ସରକାର ଦିଅନ୍ତି। ଖବର କାଗଜ କିଣିବା ପାଇଁ ୪ଟି ଖବର କାଗଜର ପଇସା ସହିତ ଯେପର୍ଯ୍ୟନ୍ତ ତାଙ୍କୁ ସରକାରୀ ଘର ମିଳିନି ସେପର୍ଯ୍ୟନ୍ତ ଦିନକୁ ୧୦୦୦ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ଏବେ ହିସାବ କରନ୍ତୁ ଜଣେ ମନ୍ତ୍ରୀ ସରକାରୀ ଭାବରେ କେତେ ଟଙ୍କା ପାଉଛି।