)
ପୁରୀ: ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ଓ ନୀତି ସବ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଏଥିସହ ଧାଡ଼ି ଦର୍ଶନ ପାଇଁ ମାର୍ଗ ଦର୍ଷିକା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ସେହିପରି ଦିବ୍ୟାଙ୍ଗ ଦର୍ଶନ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ବିଷୟରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣାକୁ କଡାକଡି ଭାବେ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ସେହିପରି ଏଣିକି ପ୍ରତ୍ୟେକ ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ଵୟ ବୈଠକ ହେବକୁ ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଏମାର ମଠରୁ ମିଳିଥିବା ରୂପା ଇଟା ପ୍ରଦାନ ନେଇ ବୈଠକରେ ପ୍ରସ୍ତାବ ଆସିଛି । ଏ ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି ।
ଆଜିର ବୈଠକରେ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଭୋର୍ ୪ ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବ । ଭୋର୍ ୬.୩୦ ରୁ ୭.୩୦ ମଧ୍ୟରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ସକାଳ ୧୦ ଟାରୁ ୧୦.୩୦ ମଧ୍ୟରେ ବାଳ ଧୂପ ନୀତି ଶେଷ କରାଯିବ। ହବିଷ୍ୟାଳି ମାଆ ମାନଙ୍କର ଦର୍ଶନ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଅକ୍ଟୋବର ୨୭ ତାରିଖ ସୋମବାର ଦିନ ମହାପ୍ରଭୁଙ୍କ ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ। ପଞ୍ଚୁକ ସମୟରେ ନଭେମ୍ବର ୨ ତାରିଖରେ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ସହ ହରି ଉଥାପନ୍ ନୀତି, ୩ ତାରିଖରେ ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶ, ୪ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ୫ ତାରିଖରେ ରାଜାଧିରାଜ ବା ସୁନା ବେଶ ଅନୁଷ୍ଠିତ ହେବ। ସମସ୍ତ ବେଶ ଶୃଙ୍ଖଳିତ ଭାବେ ସମାପନ ନେଇ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।