)
ଭୁବନେଶ୍ୱର: ସ୍ୱଳ୍ପକାଳୀନ ବିଧାନସଭା ଅଧିବେଶନରେ ବିଜେଡି ଯେଉଁ ଆଚରଣ କରୁଛି, ସେଥିରେ ଶାସକ ଦଳ ଘାଇଲା ଯେତିକି ନୁହଁନ୍ତି ସେତିକି ସୁରକ୍ଷା ପାଉଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍ ଗୃହ ଭିତରେ ନା ରାଜ୍ୟ ପ୍ରସଙ୍ଗ ନା କୌଣସି ରାଜନୀତିକ ପ୍ରସଙ୍ଗ ଆଲୋଚନା ପାଇଁ ମଞ୍ଚ ଫିଟିପାରୁଛି। କଂଗ୍ରେସର ଆକ୍ରମଣାତ୍ମକ ଆଚରଣକୁ ଗୌଣ କରିବା ଲାଗି ବିଜେଡି ଏପରି ଆଭିମୁଖ୍ୟ ନେଉଥିବା କୁହାଯାଉଥିଲେ ବି ବିଜେଡିର ଏହି ଆଚରଣ ବାସ୍ତବରେ ସରକାରୀ ଦଳ ବିଜେପିକୁ ରାଜନୀତିକୁ ସୁରକ୍ଷା ଦେଉଛି। ସେଥିଲାଗି ଏ ଦୁଇ ଦଳ ଭିତରେ କିଛି ଭିତିରି ବୁଝାମଣା ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ରାଜନୀତିକ ମହଲରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ପକ୍ଷରୁ ଅଘୋଷିତ ହ୍ୱିପ୍ ଜାରି କରାଯାଇଛି। କୌଣସି ହ୍ୱିପ୍ ସରକାରୀ ଦଳକୁ ବିରୋଧ କରିବା ଲାଗି ଏକାଠି ରଖିବାକୁ ବିରୋଧୀ ଦଳ ଜାରି କରିଥାଏ। କିନ୍ତୁ ଏ ହ୍ବିପ ରହିଛି ସରକାରୀ ଦଳକୁ ବଞ୍ଚାଇବା ଲାଗି। କୌଣସି ମୁହୂର୍ତ୍ତରେ ଗୃହ ମଧ୍ୟରେ କୌଣସି ରାଜନୀତିକ ଆଲୋଚନା ବା ସରକାରଙ୍କ ପଦକ୍ଷେପକୁ ସମାଲୋଚନା ପାଇଁ ଆଲୋଚନା ନ କରିବାକୁ ଏହି ହ୍ୱିପ୍ ଜାରି ହୋଇଥିବା କୁହାଯାଉଛି।
ଏହି ହ୍ୱିପ୍କୁ ନଜରରେ ରଖି ଗୃହରେ ସାର ପ୍ରସଙ୍ଗ ଉଠାଇଛି ବିଜେଡି। ଯଦିଓ ଏହି ଆଲୋଚନା ଲାଗି କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି କିନ୍ତୁ ସମ୍ପୂର୍ଣ୍ଣ ଗୃହ କାର୍ଯ୍ୟକୁ ବନ୍ଦ କରି ଆଲୋଚନା ଲାଗି ଦାବି କରିଛି ବିଜେଡି। ଏହିପରି ଦାବିକୁ ପରମ୍ପରା ବିରୋଧୀ ହୋଇଥିବାରୁ ଏହାକୁ ଆଲୋଚନାକୁ ନେଲେ ବିଜେପି ସମାଲୋଚିତ ହେବାର ଆଶଙ୍କା ରହିଛି। ଏଣୁ ବାଚସ୍ପତି ଏହାକୁ କେବେ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ଭଲ ଭାବେ ଜାଣିଛି। ଆଉ ସେଥିଲାଗି ଲଗାତାର ଗୃହର ସମୟକୁ ଏହିଭଳି ଦାବିରେ କାଟି ଦେବାକୁ ବିଜେଡି ଯୋଜନା କରିଥିବା ନେଇ ଯୋଜନା ହୋଇଥିବା କୁହାଯାଉଛି।