Advertisement
Article Detail0/zeeodisha/odisha2775208
Zee OdishaOdisha Stateଭୁଲ ଅଙ୍କରେ ବିଜେପିର ପ୍ରଚାର: ଏବେ ଚାଲିଛି କି ବିଜେଡି ଶାସନ?

ଭୁଲ ଅଙ୍କରେ ବିଜେପିର ପ୍ରଚାର: ଏବେ ଚାଲିଛି କି ବିଜେଡି ଶାସନ?

BJD: ବାସ୍ତବରେ ଏହି ସଂଖ୍ୟା ବିଜେପି ଆଣିଲା କେଉଁଠୁ? ପୁଣି ସ୍ୱାଧୀନତାକୁ ୭୮ ବର୍ଷ ହୋଇଥିବା ବେଳେ ବିଜେପିର ପୋଷ୍ଟର ନିର୍ମାତା ମାନେ ୫୦ ବର୍ଷକୁ କାହିଁକି ଗୁରୁତ୍ୱ ଦେଉଛନ୍ତି? ଯଦି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ବର୍ଷକୁ ଚିନ୍ତା କରାଯାଏ ତେବେ ଏହା ୧୯୯୦ ଅଗଷ୍ଟ ମାସର କଥା। ଏହି ଘଟଣାକୁ ଏବେ ୩୫ ବର୍ଷ ପୂରିବାକୁ ଯାଉଛି। ହେଲେ ରାଜ୍ୟ ସରକାର ୫୦ ବର୍ଷ ଆଣିଲେ କେଉଁଠୁ ବୋଲି ପ୍ରଶ୍ନ ଉଠୁଛି? ପୁଣି ପୋଷ୍ଟରରେ ୧୦ ବର୍ଷ ବିଜେଡି ଶାସନ ଯୁକ୍ତ ୧୫ ବର୍ଷ କଂଗ୍ରେସ ଶାସନ ଯୁକ୍ତ ୨୫ ବର୍ଷ ବିଜେଡି ଶାସନ ବୋଲି ଉଲ୍ଲେଖ କରାଯାଇଛି, ଏହା କିପରି? ବିଜୁ ବାବୁ କ’ଣ ବିଜେଡି ଗଢ଼ିଥିଲେ କି? 

ଭୁଲ ଅଙ୍କରେ ବିଜେପିର ପ୍ରଚାର: ଏବେ ଚାଲିଛି କି ବିଜେଡି ଶାସନ?

ଭୁବନେଶ୍ୱର: ଓଷଦ ବିକଳରେ ତାଟିଆ କାମୁଡ଼ିବା ପରି ଭାରତୀୟ ଜନତା ପାର୍ଟି ପ୍ରଚାର ଅଭିଯାନ ଆରମ୍ଭ କରିଛି। ରାତି ଅଧିଆ ତିଆରି ସଂଗଠନ ସହାୟତାରେ ବିଜେପି ସରକାରଙ୍କୁ ପ୍ରଶଂସା କରିବା ପାଇଁ ଲଗାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଓଡ଼ିଶା ରାଜନୀତି ସମ୍ବନ୍ଧରେ ଭୁଲ୍‍ ତଥ୍ୟ ଦେଇ ବିଜେପି ଓ ବିଜେପି ପ୍ରାୟୋଜିତ କ୍ରିଏଟିଭ୍‍ ଏଜେନ୍ସୀ ମାନେ ସରକାରୀ କଳ ଓ ଦଳକୁ ମୁର୍ଖ ବୋଲି ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି। ଏପରିକି ଏବେ ବି ରାଜ୍ୟରେ ବିଜୁ ଜନତା ଦଳର ସରକାର ଚାଲିଥିବା ଦ୍ୱନ୍ଦ୍ୱ ବି ସୃଷ୍ଟି କରୁଛନ୍ତି। 
ନିକଟରେ ସରକାର ଓବିସି ବର୍ଗଙ୍କ ପାଇଁ ୧୧.୨ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ଘୋଷଣା କରି ବାହାବା ନେବା ପାଇଁ ଆରମ୍ଭ କରିଥିବା ପ୍ରଚାର ଅଭିଯାନରେ ଏହା ଦେଖିବାକୁ ମିଳିଛି।। ଏଥିରେ କୁହାଯାଇଛି ଯେ, ୫୦ ବର୍ଷ ହେଲା ଯାହା ହୋଇ ନ ଥିଲା ତାହାକୁ ବିଜେପି ସରକାର ମାତ୍ର ବର୍ଷକ ମଧ୍ୟରେ କରିଛନ୍ତି। ଏହି ୫୦ ବର୍ଷରେ ବିଜେଡିର ୩୫ ବର୍ଷ ଓ କଂଗ୍ରେସର ୧୫ ବର୍ଷର ଶାସନକୁ ସାମିଲ କରାଯାଇଛି।

 କିନ୍ତୁ ବାସ୍ତବରେ ଏହି ସଂଖ୍ୟା ବିଜେପି ଆଣିଲା କେଉଁଠୁ? ପୁଣି ସ୍ୱାଧୀନତାକୁ ୭୮ ବର୍ଷ ହୋଇଥିବା ବେଳେ ବିଜେପିର ପୋଷ୍ଟର ନିର୍ମାତା ମାନେ ୫୦ ବର୍ଷକୁ କାହିଁକି ଗୁରୁତ୍ୱ ଦେଉଛନ୍ତି? ଯଦି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ବର୍ଷକୁ ଚିନ୍ତା କରାଯାଏ ତେବେ ଏହା ୧୯୯୦ ଅଗଷ୍ଟ ମାସର କଥା। ଏହି ଘଟଣାକୁ ଏବେ ୩୫ ବର୍ଷ ପୂରିବାକୁ ଯାଉଛି। ହେଲେ ରାଜ୍ୟ ସରକାର ୫୦ ବର୍ଷ ଆଣିଲେ କେଉଁଠୁ ବୋଲି ପ୍ରଶ୍ନ ଉଠୁଛି? ପୁଣି ପୋଷ୍ଟରରେ ୧୦ ବର୍ଷ ବିଜେଡି ଶାସନ ଯୁକ୍ତ ୧୫ ବର୍ଷ କଂଗ୍ରେସ ଶାସନ ଯୁକ୍ତ ୨୫ ବର୍ଷ ବିଜେଡି ଶାସନ ବୋଲି ଉଲ୍ଲେଖ କରାଯାଇଛି, ଏହା କିପରି? ବିଜୁ ବାବୁ କ’ଣ ବିଜେଡି ଗଢ଼ିଥିଲେ କି? 

ବିଜେଡି ଇତିହାସକୁ  ଦେଖିଲେ ଏହି ଦଳ ୧୯୯୭ ମସିହାରେ ଗଠନ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ  ୨୦୦୦ ମସିହାରେ ଗାଦିକୁ ଆସିଲେ। ୨୦୨୪ ନିର୍ବାଚନରେ ତାଙ୍କର ଗାଦିକୁ ରାଜ୍ୟବାସୀ ଛଡ଼ାଇ ନେଲେ। ଏହା ୨୫ ବର୍ଷ କେମିତି ହେଲା?  ଅର୍ଥାତ୍‍ ୨୫ ବର୍ଷ ବୋଲି କହି ରାଜ୍ୟ ସରକାର ନିଜର ପ୍ରଥମ ବର୍ଷର ସରକାରକୁ ବିଜେଡି ସରକାର ଭାବେ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି।  ଅନେକ ଦିନ ହେଲା ‘ଏଣିକି ଜନ ପ୍ରତିନିଧିଙ୍କ ଶାସନ ଚାଲିବ’ ବୋଲି ଆହ୍ୱାନ ଦେଉଥିବା ମୋହନ ମାଝିଙ୍କ ସରକାର ଏବେ ବିଜେଡିର ଶାସନ ଚାଲିଛି ବୋଲି ବୋଧ ହୁଏ ଗ୍ରହଣ କରିଛନ୍ତି। 

Add Zee News as a Preferred Source

ଦ୍ୱିତୀୟରେ ଏହି ପୋଷ୍ଟରରେ ଉଲ୍ଲେଖ ଅଛି ଯେ  ବିଜୁ ବାବୁଙ୍କ ୧୦ ବର୍ଷ ଶାସନ।  ଏବଂ କଂଗ୍ରେସରେ ଜାନକୀଙ୍କ ୧୫ ବର୍ଷ ଶାସନ। ଅଧିକ ସ୍ପଷ୍ଟ କରିବାକୁ ଗଲେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟରେ ୩ ଥର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଛନ୍ତି। କିନ୍ତୁ ଏହା ୧୫ ବର୍ଷ ନୁହେଁ। ପ୍ରଥମ ଶାସନ ସେ ୧୯୮୦ ମସିହା ଜୁନ୍‍ ୯ ତାରିଖରେ ଗ୍ରହଣ କରିଥିଲେ। ରାଜ୍ୟର ଏହାଥିଲା ୯ମ ବିଧାନସଭା ନିର୍ବାଚନ। ଏଥିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଜିତି ଆସିଥିଲେ ଜାନକୀ। ପ୍ରଥମ ପର୍ଯ୍ୟାୟରେ ୫ ବର୍ଷ ନିରନ୍ତର ଶାସନ କରିଲେ। ଏହା ପରେ ପୁଣି ୧୦ ମାର୍ଚ୍ଚ ୧୯୮୫ରେ ଆଉଥରେ ସରକାର ଗଡ଼ିଲେ। ହେଲେ ଏହି ସରକାର ୫ ବର୍ଷ ରହିପାରି ନଥିଲା। କଂଗ୍ରେସର ଚିରାଚରିତ ହାଇକମାଣ୍ଡଙ୍କ ପାଖରେ ଗୁହାରି ପଡ଼ିବାର ରୋଗରେ ଆକ୍ରାନ୍ତ ହୋଇ ଜାନକୀଙ୍କ ସରକାର ଭାଙ୍ଗିଯାଇଥିଲା। ଅର୍ଥାତ୍‍ ଦୁଇଟି ପର୍ଯ୍ୟାୟରେ ଜାନକୀ ୯ ବର୍ଷ ୧୮୧ ଦିନ ଶାସନ କରିଥିଲେ। ଏହାପରେ ବିଜୁଙ୍କୁ ହରାଇ ପୁଣିଥରେ ଜାନକୀ ୧୯୮୫ ମସିହାରେ କ୍ଷମତାକୁ ଆସିଥିଲେ। ସେତେବଳେ ସେ ମାତ୍ର ୩ ବର୍ଷ ୩୩୯ ଦିନ ବା ୪ ବର୍ଷ ଅତିବେଶୀରେ ଶାସନ କରିଛନ୍ତି ବୋଲି କୁହାଯାଇପାରେ। ଅର୍ଥାତ୍‍ ୩ଥରରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାକୁ ୧୩ ବର୍ଷ ୧୫୫ ଦିନ ଶାସନ କରିଛନ୍ତି। ଏହା ୧୫ ବର୍ଷ ହେଲା କିପରି?

ଏବେ ବିଜୁ ପଟ୍ଟନାୟକଙ୍କ କଥା। ବିଜୁ ବାବୁଙ୍କ ସମୟରେ ହିଁ ଦେଶରେ ମଣ୍ଡଳ କମିଶନ ରିପୋର୍ଟ ଲାଗୁ ହୋଇ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଆସନ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ବିଜୁ ବାବୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟରେ ଏ ନେଇ କୌଣସି ଆଇନ ବ୍ୟବସ୍ଥା କରାଗଲା ନାହିଁ। ଫଳରେ ଦେଶର କିଛି ରାଜ୍ୟରେ ସବିସିଙ୍କ ପାଇଁ ଆରକ୍ଷଣ ଲାଗୁ ହୋଇଥିବା ବେଳେ ଓଡ଼ିଶାରେ ତାହା ହୋଇପାରିଲା ନାହିଁ। ଏହା ବିଜୁ ବାବୁଙ୍କ ଦ୍ୱିତୀୟ ଶାସନ ସମୟ ଥିଲା। ପୁଣି ଏହା ଜନତା ଦଳର ସରକାର ଥିଲା। ସେ ଏହି ସମୟରେ ୫ ବର୍ଷ ୧୦ ଦିନ ଶାସନରେ ରହିଥିଲେ। ଏହା ପୂର୍ବରୁ ବିଜୁ ବାବୁ ଯେଉଁ ସରକାର ଗଢ଼ିଥିଲେ ତାହା କଂଗ୍ରେସ ସରକାର ଥିଲା। ଚୌଦ୍ୱାର ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଜିତି ୧୯୬୧ ଜୁନ ୨୩ରୁ ୧୯୬୩ ଅକ୍ଟୋବର ୨ ତାରିଖ ଯାଏ ସେ କ୍ଷମତାରେ ଥିଲେ। ଅର୍ଥାତ୍‍ ୨ ବର୍ଷ ୧୦୧ ଦିନ ସେ କାର୍ଯ୍ୟ କରିଛନ୍ତି। ସବୁ ମିଶାଇଲେ ବିଜୁ ବାବୁ ରାଜ୍ୟକୁ ୭ ବର୍ଷ ୧୧୧ ଦିନ ଶାସନ କରିଛନ୍ତି। ଏହା ୧୦ ବର୍ଷ ହେଲା କିପରି?

ଏଣୁ ଯିଏ ବି ପଛୁଆ ବର୍ଗ ବିକାଶ ସଂଘର ଏହି ହୋର୍ଡିଂ ଓ ପୋଷ୍ଟର ଦେଖୁଛି ସେ ଭାବୁଛି କି ପ୍ରକାର ଜୁମ୍‍ଲା ଏ ସରକାର ଓଡ଼ିଶାରେ ଦେଖାଉଛନ୍ତି। ଅସତ୍ୟ ଓ ବିଭ୍ରାନ୍ତିକର ପ୍ରଚାର କ’ଣ ଲୋକଙ୍କୁ ଧରି ରଖିବାରେ ସହାୟକ ହେବ  ତାହା ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

About the Author