)
IT Raid on Naba Das House: ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଆଜି ଭୋର ସମୟରୁ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଝାରସୁଗୁଡା, ରାଉରକେଲା, ଦିଲ୍ଲୀ ସମେତ ଏକସଂଗେ ୨୦ଟି ସ୍ଥାନରେ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି। ଆୟକର ଠକେଇ ନେଇ ଅଭିଯୋଗ ଆସିଥିବା ବେଳେ ୨୦ରୁ ଅଧିକ ସ୍ଥାନରେ ଇଡି ତନାଘନା ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି। ଆଜି ପ୍ରାୟ ଭୋର ପ୍ରାୟ ୫ଟା ସମୟରୁ ଚଢାଉ କରାଯାଇଛି। ଏହା ସହିତ ନବଙ୍କ ବ୍ୟବସାୟିକ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ମଧ୍ୟ ଚଢାଉ ଜାରି ରଖିଛି।
ଏଠାରେ କହି ରଖୁ କି ପୂର୍ବରୁ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।
ସେପଟେ ଖବର ଲେଖାଯିବା ବେଳକୁ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଦାସ ଘରେ ନଥିବା ବେଳେ ତାଙ୍କ ଅଫିସ ବନ୍ଦ ରହିଛି। ଦୀପାଳି ଦାସ ପୁରୀର ଝାରସୁଗୁଡାରୁ ଫେରୁଥିବା ନେଇ ସୂଚନା ରହିଛି। ସେପଟେ ବିଶାଳ ଦାସ ଦିଲ୍ଲୀରେ ରହିଛନ୍ତି। ତେବେ ଚଢାଉ ସମୟରେ ପ୍ରାୟ ୧୮୦ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି। ୧୨୦ ଆଇଟି ଅଫିସର, ୪୦ CRPF, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍ ।