Trending Photos
)
Digha Jagannath Dham:ପୁରୀ: ଦୀଘାଠାରେ ନୂଆକରି ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି। 'ଜଗନ୍ନାଥ ଧାମ' ନାଁକୁ ନେଇ ଏବେ ଏହି ବିବାଦ ଆହୁରି ଘନେଇବାରେ ଲାଗିଛି। ଏହି ବିବାଦରେ ଏବେ ମତ ରଖିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଛନ୍ତି କି ବିଶ୍ୱରେ ୪ଟି ଧାମ ରହିଛି। ସେଥିମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ହେଉଛି ଅନ୍ୟତମ। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ। କେବଳ ଦୀଘା ନୁହେଁ, ଶ୍ରୀକ୍ଷେତ୍ରକୁ ଛାଡ଼ି ଅନ୍ୟ କେଉଁ ସ୍ଥାନକୁ ଜଗନ୍ନାଥ ଧାମ କହିହେବନି ବୋଲି ସେ କହିଛନ୍ତି।
ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ସେ ନିନ୍ଦା କରିଛନ୍ତି। ଏନେଇ ସେ କହିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିକଳ୍ପ ନାହିଁ। ଶ୍ରୀମନ୍ଦିର ବ୍ୟତୀତ ସାରା ପୃଥିବୀରେ କେଉଁଠି ବି ବ୍ରହ୍ମ ସଂସ୍ଥାପନର ବିଧି ନାହିଁ । ବିଶ୍ବର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି। ହେଲେ ସବୁ ପରମ୍ପରା ଅନୁସାରେ ହେଉ। ନବକଳେବର ଦାରୁରେ ଦୀଘା ଦିଅଁ ଗଢା ହୋଇଥିବା ଚର୍ଚ୍ଚା ପ୍ରସଙ୍ଗରେ ଜଗୁନି କହିଛନ୍ତି, ନବକଳେବର କାଠ ଟୁକୁଡ଼ା ଟୁକୁଡ଼ା ହୋଇ ବଳିଥାଏ। ତାହା ଆବଶ୍ୟକ ବେଳେ ଠାକୁରଙ୍କ କାମରେ ଲାଗେ। କିନ୍ତୁ ଦାରୁ କାଠକୁ ନେଇ ଉଠିଥିବା ବିବାଦକୁ ନେଇ ସେ ଜାଣିନଥିବା ନେଇ ସୂଚନା ଦେଇଛନ୍ତି।
ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ନ ଦେବା ପ୍ରସଙ୍ଗରେ ଜଗୁନି କହିଛନ୍ତି, ସେଠାକୁ ଯିବାକୁ ମୁଁ ଆଗ୍ରହୀ ନଥିଲି । ଇଚ୍ଛା ହେଲାନି ବୋଲି ଦୀଘା ଯାଇନଥିଲି ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।