Jyoti Malhotra: ସନ୍ଦିଗ୍ଧ ପାକିସ୍ତାନ ଗୁଇନ୍ଦା ଜ୍ୟୋତି ମଲହୋତ୍ରା ପୁରୀ ଶ୍ରୀମନ୍ଦିର ଊପରେ ଡ୍ରୋନ ଉଡ଼ାଇଥିଲେ। ଏହି ଅଭିଯୋଗରେ ତାଙ୍କୁ ପୁରୀ ପୁଲିସ ଅଟକ ବି ରଖିଥିଲେ। କିନ୍ତୁ ତାଙ୍କ ବନ୍ଧୁ ତଥା ପୁରୀର ଅନ୍ୟତମ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ଓ ତାଙ୍କ ପରିବାର ହସ୍ତକ୍ଷେପ କରିବା ପରେ ତାଙ୍କୁ ଛହ଼ି ଦିଆଯାଇଥିଲା। ଏଣୁ ଏହି ମାମଲାର ଜାତୀୟ ତଦନ୍ତ ବ୍ୟୁରୋର ତଦନ୍ତ ପରିସରଭୁକ୍ତ ହୋଇପାରେ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପାକିସ୍ତାନ ଆଇଏଏସ୍ଆଇ ସହ ସମ୍ପର୍କ ଥିବା ଅଭିଯୋଗରେ ସୋଶାଲ୍ ମିଡିଆ ଇନ୍ଫ୍ଲୁଏନ୍ସର ତଥା ଟ୍ରାଭେଲ ବ୍ଲଗର ଜ୍ୟୋତି ମଲହୋତ୍ରାଙ୍କୁ ହରିୟାଣା ପୁଲିସ ଗିରଫ କରିଛି। ତାଙ୍କୁ ଗିରଫ ହେବା ପରେ ରିମାଣ୍ଡରେ ଆଣି ଜେରା କରୁଛି ପୁଲିସ। ଜ୍ୟୋତି ପହଲଗାମ ଆକ୍ରମଣ ପୂର୍ବରୁ ପହଲଗାମ ବୁଲିଯିବା ଏବଂ ପାକିସ୍ତାନ ଏଜେଣ୍ଟଙ୍କ ସହ ସିଧାସଳଖ ସମ୍ପର୍କରେ ରହିବା ତାଙ୍କୁ ପାକିସ୍ତାନ ଗୁପ୍ତଚର ଭାବେ ଅଭିଯୁକ୍ତ କରିଛି। ତେବେ ଏହି ସମୟରେ ଚର୍ଚ୍ଚିତ ହୋଇଛନ୍ତି ତାଙ୍କ ବନ୍ଧୁ ପ୍ରିୟଙ୍କା। ପ୍ରିୟଙ୍କା ତାଙ୍କ ସହ ମିଶି ବିଭିନ୍ନ ସ୍ଥାନ ବୁଲିବା ସହ କଶ୍ମୀର ଓ ପଲହଗାମ୍ ଗସ୍ତରେ ଯାଇଥିଲେ। ଏପରିକି ସେ ମଧ୍ୟ ଏହି ଗୁପ୍ତଚର ସହ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ଏ ସମ୍ବନ୍ଧରେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ ଟ୍ୟାଗ କରାଗଲା ପରେ ପୁରୀ ପୁଲିସ ତାଙ୍କ ଘରେ ପଶି ତାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଛି। ଏହାସହ ତାଙ୍କର ସୋଶାଲ୍ ମିଡିଆ ଆକାଉଣ୍ଟ ଏବଂ ମୋବାଇଲ୍ ଫୋନ୍ର ଫରେନ୍ସିକ୍ ଯାଞ୍ଚ ଚାଲିଛି।
ଜ୍ୟୋତିଙ୍କ ସହ ଗୁପ୍ତଚର ଭାବେ ତଥ୍ୟ ସଂଗ୍ରହ କରି ପାକିସ୍ତାନ ଗୁଇନ୍ଦାକୁ ସହାୟତା କରୁଥିବା ଅଭିଯୋଗରେ ଛଅ ଜଣଙ୍କୁ ପୁଲିସ ଏ ଭିତରେ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୟୁଟ୍ୟୁବର, ଛାତ୍ର, ସୁରକ୍ଷା ପ୍ରହରୀ ଓ ଅନ୍ୟାନ୍ୟ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ସୋସିଆଲ ମିଡିଆ, ମୋବାଇଲ ଆପ୍ ଓ ଅନ୍ୟ ମାଧ୍ୟମରେ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଇଥିବା ଅଭିଯୋଗ ରହିଛି। ଏହି ଗିରଫଦାରୀ ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ହୋଇଛି।
ଆସନ୍ତୁ ନଜର ପକାଇବା ସେମାନଙ୍କ କାର୍ଯ୍ୟକଳାପ ଉପରେ:
1. ଜ୍ୟୋତି ମଲହୋତ୍ରା: ହରିୟାଣାର ହିସାରରେ ଜଣେ ଜଣାଶୁଣା ଟ୍ରାଭେଲ ଭ୍ଲଗର ଓ ୟୁଟ୍ୟୁବର ହେଉଛନ୍ତି ଜ୍ୟୋତି ମଲହୋତ୍ରା। ସେ ଟ୍ରାଭେଲ ଓ୍ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାନ୍ତି ଏବଂ ପାକିସ୍ତାନରେ ଥିବା ଏକ ହାଇକମିଶନ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ ରହିଛି। ସେ ଭାରତୀୟ ସେନାର ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଇଥିବା ଅଭିଯୋଗ ହୋଇଛି।
2. ଶେହଜାଦ: ଉତ୍ତରପ୍ରଦେଶର ରାମପୁରରୁ ଶେହଜାଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ବାରମ୍ବାର ପାକିସ୍ତାନ ଯାତ୍ରା କରିଥିବା ଏବଂ ସୀମାପାର ଦେଇ ଅବୈଧ ବ୍ୟବସାୟ ସହ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି।
3. ସୁଖପ୍ରୀତ ସିଂ ଓ କରଣବୀର ସିଂ: ପଞ୍ଜାବରୁ ଗିରଫ ହୋଇଥିବା ସୁଖପ୍ରୀତ ଓ କରନ୍ପ୍ରୀତ ନାମକ ଦୁଇ ଯୁବକଙ୍କ ବିରୋଧରେ ରହିଛି ସଙ୍ଗୀନ ଅଭିଯୋଗ । ସେମାନେ ‘ଅପରେସନ ସିନ୍ଦୁର’ ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଆଇଏସଆଇକୁ ପଠାଇଥିବା ଅଭିଯୋଗ ରହିଛି।
4. ନୌମାନ ଇଲାହୀ: ହରିୟାଣାର ପାନିପତରୁ ୨୪ ବର୍ଷୀୟ ନୌମାନ ଇଲାହୀଙ୍କୁ ଗିରଫ କରାଯାଇଛି। ସେ ଜଣେ ସୁରକ୍ଷା ପ୍ରହରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ପାକିସ୍ତାନରେ ଥିବା ଆଇଏସଆଇ ହ୍ୟାଣ୍ଡଲର ସହ ଯୋଗାଯୋଗରେ ଥିବା ଅଭିଯୋଗ ରହିଛି।
5. ପଥାନ ଖାନ: ରାଜସ୍ଥାନର ଜୈସଲମେରରୁ ପଥାନ ଖାନଙ୍କୁ ଗିରଫ କରାଯାଇଛି। ସେ ୨୦୧୩ରେ ପାକିସ୍ତାନ ଯାତ୍ରା କରି ଆଇଏସଆଇ ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିବା ଏବଂ ଜୈସଲମେର ଅଞ୍ଚଳର ସମ୍ବେଦନଶୀଳ ସୂଚନା ପଠାଇଥିବା ଅଭିଯୋଗ ରହିଛି।
ଓଡ଼ିଶା ପୁଲିସ ପୁରୀରୁ ପ୍ରିୟଙ୍କା ସେନାପତି ନାମକ ଜଣେ ଯୁବତୀଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ରହିଛି ଯେ ପ୍ରିୟଙ୍କା ଜ୍ୟୋତି ମଲହୋତ୍ରାଙ୍କ ସହ ଯୋଗାଯୋଗରେ ଥିଲେ, ଯିଏ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କୁ ସମ୍ବେଦନଶୀଳ ସୂଚନା ପଠାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଓଡ଼ିଶା ପୁଲିସ ପ୍ରିୟଙ୍କାଙ୍କ ସମ୍ପୃକ୍ତି ସମ୍ପର୍କରେ ସଠିକ ତଥ୍ୟ ସଂଗ୍ରହ କରୁଛି ଏବଂ ତାଙ୍କ ଗତିବିଧି ଓ ଯୋଗାଯୋଗର ତଦନ୍ତ ଚାଲିଛି। ତଥାପି, ଏହା ସ୍ପଷ୍ଟ ହୋଇନାହିଁ ଯେ ପ୍ରିୟଙ୍କା ସିଧାସଳଖ ଗୁଇନ୍ଦାଗିରିରେ ଜଡ଼ିତ ଥିଲେ କି ନାହିଁ।
Add Zee News as a Preferred Source