)
Keonjhar News:କେନ୍ଦୁଝର(ଅଭୟ ମହାନ୍ତି): ଦେଶର ଭବିଷ୍ୟତ ସୂତ୍ରଧରମାନଙ୍କୁ ସମ୍ପୁର୍ଣ୍ଣ ସୁରକ୍ଷା ପ୍ରଦାନ କରନ୍ତୁ KISS କର୍ତ୍ତୃପକ୍ଷ । ଏଥିସହିତ, କେନ୍ଦୁଝର ଟିକରଗୁମୁରା ଗାଁର ୯ମ ଶ୍ରେଣୀର ଛାତ୍ରକୁ ଯେଭଳି ଭାବେ ହତ୍ୟା କରାଗଲା, ସେହି ଘଟଣାର ପୁନରାବୃତ୍ତି ଯେଭଳି ନଘଟେ, ସେଥିପ୍ରତି KISS କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି । ଆଜି ଟିକରଗୁମୁରା ଗାଁରେ ମୃତ ଛାତ୍ରଙ୍କ ବାପାମାଙ୍କୁ ଭେଟି ଏସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ।
ଗତ ୧୨ ତାରିଖ KISS ରେ ଘଟିଥିବା ଘଟଣାରେ ଆଜି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଟିକରଗୁମୁରା ଗାଁରେ ପହଞ୍ଚିଥିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର । ଗାଁରେ ପହଞ୍ଚି ମୃତ ଛାତ୍ରଙ୍କ ବାପାମା ତଥା ସମ୍ପର୍କୀୟଙ୍କୁ ଭେଟିଥିଲେ । କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା, ସେ ସମ୍ପର୍କରେ ସେମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ପୋଲିସ ଏହି ହତ୍ୟା ମାମଲାରେ ତତ୍ପରତାର ସହିତ ଦୋଷୀଙ୍କୁ ଗିରଫ କରିବା ସହିତ, ଘଟଣା ଘଟିବା ବେଳେ, ଦାୟିତ୍ଵରେ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଗିରଫ କରାଯାଇଥିବା ସେ କହିଥିଲେ । KISS ରେ ବହୁସଂଖ୍ୟାରେ ଛାତ୍ରଛାତ୍ର ପଢୁଥିବା ବେଳେ, ସେମାନଙ୍କର ସୁରକ୍ଷା KISS କର୍ତ୍ତୃପକ୍ଷ ସୁନିଶ୍ଚିତ କରିବାକୁ ସେ କହିଥିଲେ । ଏଥିସହିତ, ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ KISS କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସେ କହିଥିଲେ ।
ଗତ ୧୨ ତାରିଖରେ KISS ରେ ଘଟିଥିବା ଘଟଣା ସମଗ୍ର ରାଜ୍ୟରେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଟିକରଗୁମୁରା ଗାଁର ୧୪ ବର୍ଷୀୟ ୯ମ ଶ୍ରେଣୀର ଛାତ୍ର ଶିବ ମୁଣ୍ଡା KISS ରେ ପଢ଼ୁଥିବା ବେଳେ, ସେ ବାଥରୁମ୍ ରେ ପଡ଼ି ତାର ଗୋଡ, ହାତ ଭାଙ୍ଗି ଯାଇଥିବା ଖବର ଦେଇଥିଲେ KISS କର୍ତ୍ତୃପକ୍ଷ । ପରିବାର ଲୋକେ ଭୁବନେଶ୍ଵରରେ ପହଞ୍ଚିବା ପରେ, ଶିବ ମୁଣ୍ଡାଙ୍କର ମୃତଦେହ ଧରାଇ ନେଇଯିବାକୁ କହିଥିଲେ KISS କର୍ତ୍ତୃପକ୍ଷ । ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପୁଅର ଶବ ଧରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଏହାପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ପଡ଼ିଥିଲା । ଏହି ମାମଲାରେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ, KISS କତ୍ତୃପକ୍ଷ କ୍ଷତିପୂରଣ ରାଶି ପ୍ରଦାନ କରି ନଥିବା କହିଛନ୍ତି ମୃତକଙ୍କ ବାପା ।
KISS ବିରୋଧରେ ଟିକରଗୁମୁରା ରୁ ଆରମ୍ଭ ହୋଇଥିବା ଅଭିଯୋଗ ଫର୍ଦ୍ଦ ଜିଲ୍ଲାରେ କ୍ରମଶଃ ବଢ଼ିବାରେ ଲାଗିଛି । ସେସବୁ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ।