)
Vigilance Raid: ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୋଲିସ ବାବୁ ଜଣଙ୍କ ହେଉଛନ୍ତି କୋରାପୁଟ ବି. ସିଂହପୁର ଥାନା ଏଏସଆଇ ନରସିଂହ ଦୋରା । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ନରସିଂହଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ଏକ ଘରୋଇ ହିଂସା ମାମଲାରେ ତଦନ୍ତ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଆଇ ନରସିଂହ ଦୋରା । ଯଦି ସେ ମାଗିଥିବା ଟଙ୍କା ନ ଦିଅନ୍ତି, ତେବେ ସେ ମାମଲାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଥିଲେ। ଟଙ୍କା ଦେବାକୁ ସକ୍ଷମ ନଥିଲେ ଅଭିଯୋଗକାରୀ ତେଣୁ ସେ ଉପାୟ ଭାବି ଏ ବାବଦରେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ଫଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ରେଡ୍ ହ୍ୟାଣ୍ଡରେ ଏଏସଆଇ ନରସିଂହ ଦୋରାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ASI ଶ୍ରୀ ଦୋରାଙ୍କ ଲିଙ୍କ୍ ଥିବା ଦୁଇଟି ସ୍ଥାନରେ ଏକକାଳୀନ ତଲାସ କରୁଛି ଭିଜିଲାନ୍ସ।
ASI ଶ୍ରୀ ଦୋରା ଏବଂ ତାଙ୍କର ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର 33/2025, 7PC (ସଂଶୋଧନ) ଆଇନ, 2018 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।