)
Odisha News: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାର ବସ୍ତ୍ରୀଗୁ଼ଡା଼, ପେଟ, ମହେନ୍ଦ୍ରଗିରି ଓ ଅଢେଇ ଭଳି ସ୍ଥାନରେ ଭୂସ୍ଖଳନ ହୋଇଥିବା ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ହୋଇଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜେସିବି ଦ୍ବାରା ରାସ୍ତା ସଫା କରି ସମସ୍ତ ପର୍ଯ୍ୟଟକଙ୍କୁ ତଳକୁ ଆଣାଯାଇଛି। ଉଦ୍ଧାର ହୋଇଥିବା ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହେଲେ ରାୟଗଡା ବ୍ଲକ୍ ପେଟକା ଗାଁରେ ଭୂସ୍ଖଳନରେ ଏବେବି ବାପ-ପୁଅ ନିଖୋଜ ରହିଛନ୍ତି। ସପେଟ, ଆଜି ଖଣି ମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।
ସୂଚନା ଅନୁସାରେ, ପୂଜା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତିର ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ। ହେଲେ ଦୁର୍ଭାଗ୍ୟବସତଃ ହଠାତ୍ ପ୍ରବଳ ବର୍ଷା ହେବା ଯୋଗୁଁ ସେମାନେ ଫସି ଯାଇଥିଲେ। ପ୍ରଶାସନର ସହାୟତାରେ ସେମାନଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରଯାଇ ମହେନ୍ଦ୍ରଗିରି ପାଦଦେଶରେ ପହଞ୍ଚାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ପର୍ଯ୍ୟଟକ ଏବେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଜ୍ୟରେ ଗତ ୩ ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାରୁ ବଂଶଧାରା ସମେତ ଆଉ କିଛି ନଦୀ ଫୁଲିବାରେ ଲାଗିଛି। ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏବଂ ରିଲିଫ୍ ସହାୟତା ପ୍ରଦାନ କରିବା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।