)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ପ୍ରାୟ ୨୦ ଲକ୍ଷ ମାମଲା ବିଭିନ୍ନ ଜିଲ୍ଲା କୋର୍ଟରେ ପଡ଼ି ରହିଛି। ପୁଣି ପ୍ରତି ଦିନ ମାମଲା ଦାୟର ସଂଖ୍ୟା ବଢ଼ୁଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ। କୋର୍ଟରେ ଦୀର୍ଘଦିନ ବିଚାର ପରେ ମଧ୍ୟ ମାମଲା ତାରିଖ ପରେ ତାରିଖ ହିଁ ଦେଖୁଥିବା ବେଳେ ବିଭାଗୀୟ ମନ୍ତ୍ରୀ କିନ୍ତୁ ବିଚାର ବ୍ୟବସ୍ଥାକୁ ଏଥିପାଇଁ ଦାୟୀ ବୋଲି କହିବାକୁ ସ୍ୱୀକାର କରି ନାହାନ୍ତି ବରଂ ଆହୁରି ୮ କାରଣକୁ ସାମ୍ନାକୁ ଆଣିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏ ନେଇ ଏକ ପ୍ରଶ୍ନ ମନ୍ତ୍ରୀଙ୍କୁ ପଚାରିଥିଲେ। ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏବେ ୧୯ ଲକ୍ଷ୯୭ ହଜାର ୩୧୭ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧୬ ଳକ୍ଷ ୮୪ ହଜାର ୪୩୨ ହୋଇଥିବାବେଳେ ଦେଓ୍ୱାନୀ ମାମଲା ସଂଖ୍ୟା ହେଉଛି ୩ ଲକ୍ଷ ୧୨ ହଜାର ୮୮୫। ମନ୍ତ୍ରୀ ଦେଇଥିବା ତାଲିକା ଅନୁସାରେ ରାଜ୍ୟର ସବୁଠାରୁ ଅଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରେ ବିଚାର ଅପେକ୍ଷାରେ ପଡ଼ି ରହିଛି। ହିସାବ ଅନୁସାରେ ଏଠାରେ ପଡ଼ି ରହିଥିବା ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୧୩ ହଜାର ୬୨୧। ଏଥିରୁ ୧ଲକ୍ଷ ୬୮ ହଜାର ୪୩୮ ହେଉଛି ଫୌଜଦାରୀ ମାମଲା। ସେହିପରି ଖୋରଦ୍ଧା ତଳକୁ ଅଧିକ ବିଚାରାଧୀନ ମାମଲା ଥିବା ଜିଲ୍ଲା ହେଉଛି କଟକ। ଏଠାରେ ୨ଲକ୍ଷ ୫ ହଜାର ୬୫୬ ବିଚାରକୁ ଅପେକ୍ଷା କରୁଛି। ଏଥିରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧ଲକ୍ଷ ୬୮ ହଜାର ୪୬୩। ସେହିପରି ସବୁଠାରୁ କମ୍ ମାମଲା ରହିଛି ମାଲକାନଗିରି ଜିଲ୍ଲାରେ। ସୁନ୍ଦରଗଡ଼, ଯାଜପୁର, ଗଞ୍ଜାମ, ବାଲେଶ୍ୱରରେ ୧ ଲକ୍ଷ ଉପରକୁ ମାମଲା ବିଚାର ଅପେକ୍ଷାରେ ରହିଛି। ତେବେ ନ୍ୟାୟାଳୟରେ ବିଚାରକୁ ଅପେକ୍ଷା କରୁଥିବା ମାମଲା ପାଇଁ ନ୍ୟାୟାଳୟ ବା କୌଣସି ବିଚାର ବିଭାଗ ଅଧିକାରରୀ ଦାୟୀ ନୁହନ୍ତି। ବରଂ ଏଥିଲାଗି ୮ଟି ଅନ୍ୟ କାରଣ ଦାୟୀ। ଏହି ୮ଟି କାରଣକୁ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ଏହି କାରଣ ଭିତରେ ପୁଲିସ, ଡାକ୍ତର, ଫୋରେନ୍ସିକ୍ ଟିମ୍, ସାକ୍ଷୀ ଓ ଅଭିଯୁକ୍ତ କୋର୍ଟକୁ ନ ଆସିବା ଆଦି କାରଣକୁ ଅନ୍ତର୍ଭୁକ୍ତ କରାଯାଇଛି।
ବିଳମ୍ବର ପ୍ରଥମ କାରଣ ଭାବେ ମନ୍ତ୍ରୀ ଶ୍ରୀ ହରିନ୍ଦନ ମାମଳଶର ବିଚାର ବେଳେ ସାକ୍ଷୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତର ଉପସ୍ଥିତ ନରହିବା ଉଲ୍ଲେଖ କରିଛନ୍ତି। ସେହିପରି ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଓ୍ୱାରେଣ୍ଟକୁ କାରର୍ଯ୍ୟକାରୀ ନକରାଯିବ, ଓକିଲ ମାନଙ୍କ ଦ୍ୱାରା ବାରମ୍ବାର ତାରିଖ ପାଇଁ ଆବେଦନ କରାଯିବ, ତଦନ୍ତ ରିପୋର୍ଟ ନ ଆସିବା, ଅଭିଯୁକ୍ତମାନେ ଯଥା ସମୟରେ ଉପସ୍ଥିତ ନ ରହିବା, ରାସାୟନିକ ରିପୋର୍ଟ ଦାଖଲରେ ବିଳମ୍ବ ହେବା, ମୃତ୍ୟୁ ରିପୋର୍ଟ ଠିକ ସମୟରେ ଦାଖଲ ନହେବା ଆଦି କହିଛନ୍ତି। ଖାଲି ସେତିକି ନୁହେଁ ଦିନକୁ ଦିନ ନୂଆ ମାମଲା ଆସୁଥିବାରୁ କୋର୍ଟରେ ମାମଲା ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।