)
Mahalaya Amavasya 2025: ଆସନ୍ତାକାଲି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆସନ୍ତାକାଲି ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ତେବେ ଏହି ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ପିତୃପୁରୁଷ ମୁକ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।ତେବେ ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି ସେହି ମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଓ ତିଳତର୍ପଣ କରିଥାନ୍ତି।ଏଣୁ ଶ୍ରୀମନ୍ଦିର ଚତୃପାର୍ଶ୍ୱରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ନେଇ ଭିଡ଼ ପରିଲକ୍ଷିତ ହେବ।ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ଅଧିକ ପସନ୍ଦ କରିଥାନ୍ତି। ମହୋଦଧି ସମେତ ଶ୍ରୀକ୍ଷେତ୍ରରରେ ଥିବା ତୀର୍ଥ ପୁଷ୍କରିଣୀ ଯଥା ଇନ୍ଦ୍ରଦ୍ୟୁମ୍ନ,ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ମାର୍କଣ୍ଡେୟ ଠାରେ ଶ୍ରାଦ୍ଧ ପ୍ରଦାନ କରିବେ ହଜାର ହଜାର ଶ୍ରଦ୍ଧାଳୁ।