)
ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବରିଷ୍ଠ ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭୁବନେଶ୍ବରକୁ ପ୍ରଗତିଶୀଳ କରିବାକୁ ମେଟ୍ରୋ ବ୍ୟବସ୍ଥା କରିବାକୁ ଯାଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ବ ବଜେଟ୍ରେ ସେ ଏହା କରିଥିଲେ, ଅଢ଼େଇ ବର୍ଷରେ DPR ଏବଂ ଅନ୍ୟାନ୍ୟ କାମ କରିଥିଲେ । କିନ୍ତୁ ବିଜେପି ସରକାର ମେଟ୍ରୋ ପ୍ରକଳ୍ପକୁ ବାତିଲ କରିଦେଲେ । ଏହାର କାରଣ ହେଉଛି ପୂର୍ବ ସରକାର କରିଥିଲେ । ସେମାନେ ପୁଣି DPR କରିବେ, ଟେଣ୍ଡର କରିବେ ଏବଂ ଏସବୁ ପାଇଁ ୫ ବର୍ଷ ଲାଗିଯିବ ।
ଅନ୍ୟପଟେ, ମେଟ୍ରୋ ବାବଦରେ ପ୍ରତିକ୍ରିୟା ରଖି ବିଜେଡିର ଅଭିଯୋଗକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାକୁ ଖଣ୍ଡନ କରିଛନ୍ତି । ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି । ବର୍ତ୍ତମାନ ମୋହନ ସରକାର ତର୍ଜମା କରି ଲୋକାଭିମୁଖୀ ବ୍ୟବସ୍ଥା କରୁଛନ୍ତି । ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ହୋଇଛି ଯାହାର ନେତୃତ୍ବ ନେଉଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ରାଜ୍ୟ ଗସ୍ତ କରି କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ଏବଂ କାମ ବିଳମ୍ବ ହେଉଥିବାରୁ ଟେଣ୍ଡର ବାତିଲ କରାଯାଇଛି । ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସହାୟତାରେ ମେଟ୍ରୋ ପ୍ରକଳ୍ପ କରାଯିବ । କେନ୍ଦ୍ରୀୟ ଟେକ୍ନୋଲୋଜି ନିଆଯିବ । ପ୍ରଥମେ କଳ୍ପନାରୁ ନନ୍ଦନକାନନ ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।