)
ଖୋର୍ଦ୍ଧା: ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ ଦେଖାଦେଇଛି। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଇଥିବା ସୂଚନା ରହିଛି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି। ଦୁଇ ମାସ ତଳେ ୧୮ରୋଗୀ ଚିହ୍ନଟ ହୋଇଥିଲା।
ଏ ରୋଗ ଗତବର୍ଷ ନଭେମ୍ବରରୁ ଆରମ୍ଭ ହେଲାଣି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଗଲା ଅକ୍ଟୋବର ବେଳକୁ ପିଲାମାନେ ଛୁଟିରେ ଘରକୁ ଯାଇ ଫେରିଥିଲେ। ସେଥିରୁ କିଛି ପିଲା ଜଣ୍ଡିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହୋଇଥିଲା। ଫଳରେ ଧୀରେ ଧୀରେ ରୋଗ ବ୍ୟାପକ ରୂପ ନେଲା। ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା ତା' ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହୋଇଥିଲେ। ଗତ ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ। କିନ୍ତୁ, ଚଳିତ ଜାନୁଆରି ସୁଦ୍ଧା ରୋଗୀଙ୍କ ସଂଖ୍ୟା ୪୦କୁ ଛୁଇଁଛି ବୋଲି ବିଦ୍ୟାଳୟର ଷ୍ଟାଫ୍ ନର୍ସ ଶାନ୍ତିଲତା ବସ୍ତିଆ ପ୍ରକାଶ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୭୦ରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି।
ଏଠାରେ କହି ରଖୁ କି ଲକ୍ଷଣ ଅନୁସାରେ ଆକ୍ରାନ୍ତ ପିଲାଙ୍କୁ ଜ୍ବର ହେଉଛି। ତା' ସହିତ ମୁହଁ ହାତ ହଳଦିଆ ପଡୁଛି। ଲକ୍ଷଣ ଦେଖା ଦେବା କ୍ଷଣି ଡାକ୍ତରଙ୍କର ପରାମର୍ଶ କରାଯାଉଛି ବୋଲି ଶ୍ରୀମତୀ ବସ୍ତିଆ ପ୍ରକାଶ କରିଛନ୍ତି। ପିଲାଙ୍କ ସହିତ ଜଣେ ଷ୍ଟାଫ୍ ମଧ୍ୟ ଜଣ୍ଡିସ୍ରେ ପୀଡ଼ିତ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ରୋଗର କାରଣ ଖୋଜିବା ଆରମ୍ଭ କରିଛନ୍ତି।
ବିଦ୍ୟାଳୟରେ ଥିବା ୧୩ଟି ପାଣିଟାଙ୍କି ସଫେଇ କରାଯାଇଛି। ତା’ ସହିତ ଖାଦ୍ୟ ନମୂନା ବି ପରୀକ୍ଷା କରାଯାଇଛି ବୋଲି ଶ୍ରୀମତି ବସ୍ତିଆ ପ୍ରକାଶ କରିଛନ୍ତି। କିନ୍ତୁ ସମସ୍ତ ନମୁନା ରିପୋର୍ଟ ଠିକ୍ ଆସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ରୋଗ ଜଳ ଦ୍ବାରା ସଂକ୍ରମଣ ହେଉଛି, ତେଣୁ ପିଲାଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ଆରମ୍ଭ କରାଯାଇଛି। ବିଦ୍ୟାଳୟର ପାଇଖାନାରୁ ଜଣେ ଅନ୍ୟ ଜଣଙ୍କ ଟ୍ରେରେ ରୀତିମତ ସଫେଇ କରାଯିବା ସହିତ କିମ୍ବା ପାଣି ବୋତଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ସପ୍ତାହରେ ଡାକ୍ତର ବିଦ୍ୟାଳୟରେ ଆସି ପରାମର୍ଶ ଦେଉଛନ୍ତି । ମେଡିକାଲ୍ କ୍ୟାମ୍ପ ବି ଆରମ୍ଭ ଆରମ୍ଭ ହୋଇଛି। ତା’ ସହିତ ବିଦ୍ୟାଳୟକୁ ଆସି ଅନୁଧ୍ୟାନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଆଜି ଚିଠି କରାଯାଇଛି ବୋଲି ସ୍କୁଲର ଉପାଧ୍ଯକ୍ଷ ନୃସିଂହଚରଣ ଚକ୍ର ପ୍ରକାଶ କରିଛନ୍ତି।