ରାଜ୍ୟର ପଶ୍ଚିମାଞ୍ଚଳ ଏହି ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ହୋଇଥିବାରୁ ରାଜ୍ୟ ସରକାର ଏଥର ସମ୍ପ୍ରସାରଣ ବେଳେ ଉପକୂଳ ନେତାଙ୍କୁ ଧ୍ୟାନ ଦେବାର ସମ୍ଭାବନା ରହିଛି।
Trending Photos
)
Odisha ministry: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଅନେକ ଚର୍ଚ୍ଚା ହେଉଛି। ଏ ଭିତରେ କେଉଁମାନେ ମନ୍ତ୍ରୀ ହୋଇପାରନ୍ତି ତାହାର ଏକ ତାଲିକା ମଧ୍ୟ ଛକ ବଜାରରେ ଘୂରି ବୁଲୁଛି। ପୁଣି କେଉଁ ନେତା କେଉଁ ନାଁକୁ ନେଇ ଲବି କରୁଛନ୍ତି ତାହାକୁ ନେଇ ଆଲୋଚନା ହେଲାଣି। ଏହା ପଛରେ କାରଣ ହେଉଛି ବିଜେପିର ବିଧାୟକଙ୍କ ମନରେ କ୍ଷମତା ନିଶା ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଧିକ ମନ୍ତ୍ରୀ ଗ୍ରହଣ କରିବାର ପରମ୍ପରା ଓ ସାମ୍ବିଧାନିକ ବ୍ୟବସ୍ଥା।
ଏହି ସାମ୍ବିଧାନିକ ବ୍ୟବସ୍ଥା ଓ ପରମ୍ପରା ଅନୁସାରେ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କ ଭିତରୁ ୧୫ ପ୍ରତିଶତଙ୍କୁ ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗରେ ଦାୟିତ୍ୱ ଦିଆଯାଇପାରେ। ଓଡ଼ିଶା ଏହି ଅନୁସାରେ ଦେଖିବାକୁ ଗଲେ ରାଜ୍ୟର ୧୪୭ ବିଧାୟକଙ୍କ ଭିତରୁ ମନ୍ତ୍ରିମଣ୍ଡଳରେ ୨୨ ଜଣ ବିଧାୟକ ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗ ଦାୟିତ୍ୱରେ ରହିପାରିବେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ରହିଛି ୧୬। ଅର୍ଥାତ୍ ଆହୁରି ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିବେ।
ଏ ଭିତରେ ୯ ମାସ ସମୟ ସରକାରଙ୍କୁ ଅତିବାହିତ ହେଲାଣି। ପୁଣି ଅନେକ ମନ୍ତ୍ରୀ ବିଭାଗ ସମ୍ଭାଳିବାରେ ସକ୍ଷମ ହୋଇପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ପୁଣି କିଛି ପ୍ରଭାବଶାଳୀ ନେତାଙ୍କ ଚାପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଚାପକୁ ଦେଖି ଆଉ କିଛି ସାଂସଦ ଓ ନେତା ଅନ୍ୟ କିଛି ବିଧାୟକଙ୍କୁ ମନ୍ତ୍ରୀ କରିବା ଲାଗି ଲବି ଚଳାଇଥିବା ଚର୍ଚ୍ଚା ହେଉଛି।
ଏହି ଲବିରେ ପ୍ରଥମ ଚର୍ଚ୍ଚାରେ ରହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନିଜର ଦାଦାଗିରି ସ୍ୱଭାବ ଯୋଗୁ ସେ ପୂର୍ବ ସରକାର ସମୟରେ ମଧ୍ୟ ଚର୍ଚ୍ଚିତ ଥିଲେ। ଏବେ ବିଜେପି ଟିକଟରେ ଜିତିଥିବା ପ୍ରଶାନ୍ତଙ୍କ ପଛରେ ହାତ ରହିଛି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର। ଏଣୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଅପରାଜିତାଙ୍କୁ ସନ୍ତୁଷ୍ଟ କରିବାକୁ ମୋହନ ପ୍ରଶାନ୍ତଙ୍କୁ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି।
ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲବି ତ ମନ୍ତ୍ରିମଣ୍ଡଳ ଆରମ୍ଭରୁ ରହି ଆସିଛି। ଏହି ଲବିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବୋଲି କୁହାଯାଏ। ପ୍ରାୟ ମନ୍ତ୍ରୀ ତାଙ୍କରି ଆଶୀର୍ବାଦରେ ପଦବୀ ପାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ବି ଧର୍ମେନ୍ଦ୍ରଙ୍କୁ ପ୍ରସନ୍ନ କରି ମନ୍ତ୍ରୀପଦଟିଏ ପାଇବାକୁ ଲବି କରୁଥିବା ଚର୍ଚ୍ଚା ହେଉଛି। ସେହିଭଳି ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ। ଏଣୁ ଘର ଲୋକଙ୍କୁ ସହାୟତା ଦେବାକୁ ଯାଇ ଧର୍ମେନ୍ଦ୍ର ତାଙ୍କୁ ବି ସହାୟକ ହୋଇପାରନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଏକମାତ୍ର ନେତା ହେଉଛନ୍ତି ଲକ୍ଷ୍ମଣ ବାଗ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ସେ ନବୀନଙ୍କ ହରାଇ ଚର୍ଚ୍ଚାକୁ ଆସିଥିଲେ। ବିଜେପି ସେହି ପ୍ରତିଚ୍ଛବିକୁ ରକ୍ଷା କରିବାକୁ ଯାଇ ଲକ୍ଷ୍ମଣଙ୍କୁ ସୁଯୋଗ ଦେଇପାରେ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧି ହେଉଛନ୍ତି କହ୍ନେଇ ଡାଙ୍ଗ। ସେ ଜଣେ ପୁରୁଣା ନେତା ଭାବେ ବିଜେପିରେ ଦୀର୍ଘ ଦିନ ନିଜର ଲୋକପ୍ରିୟତା ରକ୍ଷା କରିଛନ୍ତି।
ଏବେ ମୁଖ୍ୟମନ୍ତ୍ରୀଙ୍କ ଶ୍ୱଶୂର ଘର ଜିଲ୍ଲା କଥା। ଏହି ଜିଲ୍ଲା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା। ଏଠାରେ ଦୁଇଜଣ ମନ୍ତ୍ରୀ ରହିଛନ୍ତି। କିନ୍ତୁ ଜଣେ ମହିଳାଙ୍କୁ ମନ୍ତ୍ରୀ କରିବା ପାଇଁ ଚାପ ପଡ଼ୁଥିବା କୁହାଯାଉଛି। ଏହି ମହିଳା ଜଣଙ୍କ ହେଉଛନ୍ତି ସଞ୍ଜାଳି ମୁର୍ମୁ। ବାଙ୍ଗିରିପୋଷୀ ବିଧାୟିକା ମୁର୍ମୁ ଆଦିବାସୀ ନେତା ସୁଦାମ ମାରାଣ୍ଡିଙ୍କ ପତ୍ନୀଙ୍କୁ ହରାଇଥିଲେ। ତାଙ୍କ ନାଁ ଆସିପାରେ ଏଥର ମନ୍ତ୍ରିପଦ ତାଲିକାରେ।
ଭଟଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଇରାଶୀଷ ଆଚାର୍ଯ୍ୟଙ୍କ ମନ୍ତ୍ରୀ ତାଲିକାରେ ରହିଛି। ଜଣେ ଭଲ କର୍ମୀ ଭାବେ ନିରପେକ୍ଷ ରହି ସେ କାର୍ଯ୍ୟ କରିଛନ୍ତି। ପୁଣି ସବୁ ବର୍ଗର ସମର୍ଥନ ତାଙ୍କ ପାଖରେ ରହିଛି। ଏଣୁ ବରଗଡ଼ ଜିଲ୍ଲା କଥାକୁ ପୁଣି ଦେଖିବାକୁ ଗଲେ ସେ ଦାବିଦାର ହୋଇପାରନ୍ତି। ହେଲେ ରାଜ୍ୟର ପଶ୍ଚିମାଞ୍ଚଳ ଏହି ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ହୋଇଥିବାରୁ ରାଜ୍ୟ ସରକାର ଏଥର ସମ୍ପ୍ରସାରଣ ବେଳେ ଉପକୂଳ ନେତାଙ୍କୁ ଧ୍ୟାନ ଦେବାର ସମ୍ଭାବନା ରହିଛି।