)
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଧରାକୋଟଠାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ପକ୍ଷରୁ ନିଜଆଡ଼ୁ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି କମିଶନ ୨ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ଏହାସହ ନିଜ ରିପୋର୍ଟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ଅପରାଧୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଉଭୟ ପୀଡ଼ିତଙ୍କୁ ଯଦି କିଛି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ସେ ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି।
ଜୁନ୍ ୨୫ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ମାଡ଼ ମାରିବା, ଘାସ ଖୁଆଇବା ଏବଂ ନାଳ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା ଏବଂ ସେମାନଙ୍କ ମୁଣ୍ଡକୁ ମଧ୍ୟ ଜୋରଜବରଦସ୍ତି ଲଣ୍ଡା କରାଯାଇଥିଲା।
କମିଶନଙ୍କ ନଜରରେ ପ୍ରକାଶ ପାଇଥିବା ଏହି ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ ହୋଇଥାଏ ତେବେ ତାହା ମାନବାଧିକାର ଉଲ୍ଲଂଘନର ଏକ ଗମ୍ଭୀର ପ୍ରସଙ୍ଗ । ଏଣୁ କମିଶନ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି।