)
Odisha Weather: ରାଜ୍ୟରେ ଲଗାଣ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ନଦୀ ଜଳପତ୍ତନ ବୃଦ୍ଧି ଘଟିଛି। କିନ୍ତୁ ରାଜ୍ୟର କୌଣସି ବଡ଼ ନଦୀ ବିପଦ ସଙ୍କେତ ଉପରକୁ ପ୍ରବାହିତ ହୋଇ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଏହି ଲଘୁଚାପ ଦ୍ୱାରା ଯେତିକି ବର୍ଷା ଆକଳନ କରାଯାଇଥିଲା ତାହା ହୋଇ ନାହିଁ। ଆଗକୁ ଯଦି ବର୍ଷା ପରିମାଣ ବଢ଼େ ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଆଜି ଗଣମାଧ୍ୟମକୁ ଶ୍ରୀ ପାଢ଼ୀ କହିଛନ୍ତି, ବୈତରଣୀ ନଦୀରେ ନଦୀ ଜଳ ସତର୍କ ସ୍ତରଠାରୁ ସାମାନ୍ୟ ଉପରେ ରହିଛି। କିନ୍ତୁ ଯେଉଁଭଳି ବର୍ଷା ହେଉଛି ଯଦି ସେମିତି ଜାରି ରହେ ତେବେ ଏହା ବିପଦ ସଙ୍କେତ ପାର୍ କରିବାର ସମ୍ଭାବନା ରଖୁ ନାହିଁ। ଅନ୍ୟ ନଦୀ ଗଉଡ଼ିକରେ ଜଳ ପତ୍ତନ ସତର୍କ ସଙ୍କେତଠାରୁ ତଳେ ଅଛି। ଆଜି ବୈତରଣୀ ଏବଂ ମହାନଦୀ ଓ ବ୍ରାହ୍ମଣୀର ନିମ୍ନ ଅବବାହିକାରେ ବର୍ଷା ପରିମାଣ ୨୪-୩୭ ମିଲିମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ହେଲେ ଜଳସ୍ତର ବଢ଼ିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏବେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍ ଏବଂ ରେଙ୍ଗାଳି ଜଳ ଭଣ୍ଡାରର ଗୋଟିଏ ଗେଟ୍ ଖୋଲା ରହିଛି ବୋଲି ସେ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ଲଘୁଚାପ ହେତୁ ରାଜ୍ୟରେ ବର୍ଷା ପରିମାଣ ବଢ଼ୁଛି। ଏହି ହେତୁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖିବାକୁ ମିଳୁଛି। କିନ୍ତୁ ବର୍ଷା ଛାଡ଼ିବା ପରେ ଏହି ପରିସ୍ଥିତି କିଛି ସମୟ ପରେ ଦୂରେଇ ଯାଉଥିବା ଦେଖା ଯାଇଛି।