)
Odisha News: ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରାଭ୍ଯାସ। ଏହି ମିଳିତ ସମରଭ୍ଯାସ ର ନାମ ରଖାଯାଇଛି ''ସାଗର କବଚ -୨ '' । ମିଳିତ ସମରାଭ୍ୟାସ ରେ ମେରାଇନ ପୋଲିସ, ଇଣ୍ଡିଆନ କୋଷ୍ଟ ଗାର୍ଡ, ଇଣ୍ଡିଆନ ନ୍ୟାଭି, ବନ ବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ଭଳି ଏକାଧିକ ବିଭାଗ ଏହି ମିଳିତ ସମରଭ୍ୟାସ ରେ ସାମିଲ ହୋଇଥିବା ଜଣାପଡିଛି । ଜଳପଥ ରେ ଇଣ୍ଡିଆନ ନ୍ୟାଭି ସହିତ ଇଣ୍ଡିଆନ କୋଷ୍ଟଗାର୍ଡ, ମେରାଇନ ପୋଲିସ ତରଫରୁ ସୁରକ୍ଷା କୁ କଡାକଡି କରାଯାଇଥିବା ବେଳେ ଉପକୂଳରେ ଓଡିଶା ପୋଲିସ, ସିଆଇଏସଏଫ,ଜଙ୍ଗଲ ବିଭାଗ ସହିତ ବିଭିନ୍ନ ବିଭାଗ ସାମିଲ ହୋଇ କଡା ପ୍ରହରା ଦିଆଯାଉଥିବା ବେଳେ ପାରାଦୀପର ବିଭିନ୍ନ ଶିଳ୍ପ କମ୍ପାନୀ ସମେତ ଜନଗହଳି ପୂର୍ଣ୍ଣ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି କରାଯାଇଛି ।
ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତୃପକ୍ଷ ପ୍ରବେଶକୁ ପ୍ରତିହତ କରାଯିବ ଏ ନେଇ ଚାଲିଛି ମିଳିତ ସମରାଭ୍ୟାସ। ଏହି ସମରାଭ୍ୟାସ ରେ ସୁରକ୍ଷା କର୍ମୀଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଟିମ ବ୍ଲୁ ଟିମ ଓ ଅନ୍ୟ ଟିମକୁ ରେଡ୍ ଟିମ ଭାବରେ ଗଠନ କରାଯାଇଛି। ରେଡଟିମ୍ ସମୁଦ୍ର ପଥ ଦେଇ ଉପକୂଳ ରେ ପ୍ରବେଶକରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ସ୍ଥଳ ଭାଗରେ ବ୍ଲୁ ଟିମ୍ ସମ୍ପୂର୍ଣ ସଜାଗ ରହି ଏହି ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣ କୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ( 26/11 )ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସମ୍ଭାବ୍ୟ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ପ୍ରତିବର୍ଷ ଦୁଇଥର ଏହି ସମରାଭ୍ୟାସ ଆୟୋଜନ କରାଯାଉଛି ।