)
Odisha Assembly Session: ଭୁବନେଶ୍ୱର: ରାଜଧାନୀ ସହରରେ ଲୋକଙ୍କର ଗମନାଗମନ ସୁବିଧାକୁ ସୁପରିଚାଳିତ କରିବା ତଥା ପରିବେଶ ପ୍ରଦୁଷଣ ପ୍ରକୋପକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ଗତି କରୁଛି। ରାଜ୍ୟ ସରକାର ବାସ୍ତବରେ ମେଟ୍ରୋର ଆବଶ୍ୟକତା ରହିଛି କି ନାହିଁ ତାହାକୁ ଆଉ ଥରେ ପରୀକ୍ଷା ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ରିପୋର୍ଟ ଆସିବା ପରେ ପ୍ରକଳ୍ପ ବାବଦରେ ଅନୁଧ୍ୟାନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।
ବିଧାନସଭାରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ରାଜ୍ୟ ସରକାର ଏହି ମନ୍ତ୍ରୀସ୍ତରୀୟ କମିଟିର ସମୀକ୍ଷା ସରିବା ପରେ ଯାଇ ଉପଯୁକ୍ତ ପଦକ୍ଷେପ ନେବେ। ମନ୍ତ୍ରୀଙ୍କର ଏହି ଉତ୍ତର ମେଟ୍ରୋ ପ୍ରକଳ୍ପର ଅନିଶ୍ଚିତତାକୁ ପୁଣି ଥରେ ପଦାରେ ପକାଇଛି।
ବିଜେଡ଼ି ସରକାର ସମୟରେ ଭୁବନେଶ୍ୱରରେ ଗହଳି ନିୟନ୍ତ୍ରଣ ପାଇଁ ମେଟ୍ରୋ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ନଭେମ୍ବର ୨୦୨୩ରେ ଏଥିନେଇ ଏକ ବିସ୍ତୃତ ପ୍ରକଳ୍ପ ବିବରଣୀ ରାଜ୍ୟ ସରକାର ଅନୁମୋଦନ କରିଥିଲେ। ଜାନୁଆରୀ ୨୦୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଫେଜର ମେଟ୍ରୋ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିଥଇଲେ। ଏହାପରେ ମେଟ୍ରୋ ରେଳ ଯିବା ସ୍ଥାନରେ ମାଟି ପରୀକ୍ଷା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ମେଟ୍ରୋ ଲାଇନର ପରିକଳ୍ପନା କରାଯାଇଥିଲା। ହେଲେ ଜୁନ ୨୦୨୪ରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପର ସ୍ଥିତି ଦୋଦୁଲ୍ୟମାନ ହୋଇଥିଲା। ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ସମୀକ୍ଷା କରି କଟକ ଯାଏଁ ଏହା ବିସ୍ତାରିତ ହେବ ବୋଲି କହିଥିଲେ। କେବଳ ଏତିକି ନୁହେଁ ଭୁବନେଶ୍ୱରରେ ଭୁମି ଉପରେ ନ ଯାଇ ଭୂମି ତଳେ ମେଟ୍ରୋ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଥିଲା। ଅନେକ ବାଦବିବାଦ ପରେ ଜୁଲାଇ ୨୦୨୫ରେ ସମ୍ପୂର୍ଣ୍ଣ ମେଟ୍ରୋ କାର୍ଯ୍ୟକୁ ବାତିଲ କରିଦିଆଯାଇଥିଲା। ପୁଣି ଥରେ ଡିପିଆର ପ୍ରସ୍ତୁତ କରାଯାଇ ମେଟ୍ରୋ ହେବ ବୋଲି ସରକାର ଜଣାଇଥିଲେ। କିନ୍ତୁ ଆଜି ବିଧାନସଭାରେ ଦିଆଯାଇଥିବା ସୂଚନା ଭୁବନେଶ୍ୱରବାସୀଙ୍କ ଭାଗ୍ୟରେ ମେଟ୍ରୋ ଅଛି କି ନାହିଁ ତାହା ସୂଚିତ କରିପାରିନାହିଁ।