)
Odisha IPS reshuffle: ନକ୍ସଲ ଦମନ ପାଇଁ ରାଜ୍ୟ ସରକାର ନୂଆ ଟିମ୍ ଗଠନ କରିଛନ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲ ନିପାତ ପାଇଁ ଗୃହମନ୍ତ୍ରୀ ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏହି ଟିକ୍ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଇଛି। ଏହି କ୍ରମରେ ପୁଲିସ ତାଲିମ ଏଡିଜି ତଥା ବିପିଏସ୍ପିଏ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍ର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୁଲିସ ଗୁଇନ୍ଦା ବିଭିାଗ ମୁଖ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ୪ଜଣ ଆଇପିଏସ୍ଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି।
ଏହି ବିଜ୍ଞପ୍ତି ଅନୁସାରେ ସଞ୍ଜୀବ ସିଧାସଳଖ ପୁଲିସ ଡିଜିଙ୍କୁ ରିପୋର୍ଟ କରିବେ। ପୂର୍ବରୁ ସେ ତୁଲାଉଥିବା ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ପୁଲିସ ଆଇଜି ତଥା ୨୦୦୬ ବ୍ୟାଚ୍ ଆଇପିଏସ୍ ଅନୁପ କୁମାର ସାହୁ ତୁଲାଇବେ। ସେ ଏବେ ଅନୁଷ୍ଠାନର ଆଇଜି ତାଲିମ ଭାବେ କାର୍ଯ୍ୟ କରୁଛନ୍ତି।

୨୦୦୯ ବ୍ୟାଚ ଆଇପିଏସ୍ ତଥା କୋରାପୁଟରେ ଥିବା ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂହଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏବେ ସ୍ୱତନ୍ତ୍ର ଗୁଇନ୍ଦା (ଏସ୍ଆଇଡବ୍ଲୁ)ର ଡିଆଜି ଥିବା ୨୦୧୦ ବ୍ୟାଚ ଆଇପିଏସ୍ ଡ. କୁଅଁର ବିଶାଲ ସିଂହଙ୍କୁ କୋରାପୁଟ ଡିଆଜି ଭାବେ ସ୍ଥାନାନ୍ତର କରାଯାଇଛି।

ଏହି ପରିବର୍ତ୍ତନ ଆଗକୁ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ଅଧିକ ବ୍ୟାପକ କରିବ ବୋଲି ଆଶା କରାଯାଇଛି। ବିଶେଷ କରି ଛତିଶଗଡ଼ ପଟୁ ରାଜ୍ୟକୁ ପ୍ରବେଶ କରୁଥିବା ନକ୍ସଲଙ୍କ ଗତିବିଧି ଉପରେ ନଜରରଖି ସେମାନଙ୍କୁ ନିପାତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଉଛି।