)
Monsoon Session: ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ମୌସୁମୀ ଅଧିବେଶନ ନାମରେ ପରିଚିତ ଏହି ଅଧିବେଶନର ପ୍ରଥମ ଦିନ ନିର୍ଦ୍ଧାରିତ ନିର୍ଘଣ୍ଟରେ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଗୃୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହର ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ଲାଗି ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ଗ୍ରହଣ ପରେ ବାଚସ୍ପତିଙ୍କ ପକ୍ଷରୁ ଗୃହରେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗୃହର ଅନ୍ୟ ନିର୍ଦ୍ଧାରିତ କାର୍ଯ୍ୟକୁ ସ୍ଥଗିତ ରଖିବା ସହ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।
ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାର ଦିବଂଗତ ସଦସ୍ୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ରାଜେନ୍ଦ୍ର ଢୋଲକିଆ, ବିଭୁତିଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝି, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଳ କୁମାର ଭଞ୍ଜ, ମହମ୍ମଦ ରଫିକ।
ଏହି ୭ ଜଣ ପୂର୍ବତନ ମନ୍ତ୍ରୀ ଓ ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସର ପୂର୍ବତନ କର୍ମଚାରୀ ଲୋକନାଥ ଶବର ଏବଂ ଦ୍ୱିତୀୟ ଇଣ୍ଡିଆ ରିଜର୍ଭ ବାଟାଲିଅନ୍ର ପୂର୍ବତନ କନଷ୍ଟେବଳ ଲକ୍ଷ୍ମଣ ମାଝିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକପ୍ରସ୍ତାବ ଆଗତ କରିଥିଲେ।
ଏହି ସମ୍ପୂର୍ଣ୍ଣ ଶୋକପ୍ରସ୍ତାବକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ କରାଯାଇଥିଲା। ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିବାରୁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରସ୍ତାବକୁ ସମର୍ଥନ କରିଥିଲେ। ପରେ ବାଚସ୍ପତି ସେମାନଙ୍କୁ ସ୍ମରଣ କରିବା ସହ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ଗୃହ କାର୍ଯ୍ୟକୁ ଆିସନ୍ତା କାଲି ଯାଏ ମୁଲତବୀ କରାଯାଇଛି। ଚଳିତ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ନିର୍ଦ୍ଧାରଣ କରାଯାଇଛି। ୭ ଦିନିଆ ଏହି ଅଧିବେଶନରେ ଗୋଟିଏ ବେସରକାରୀ ଦିବସ ମଧ୍ୟ ରହିଛି।