)
Odisha News: ଗତି ପଥ ବଦଳାଉଛି ବୁଢ଼ାବଳଙ୍ଗ। ୧୫ ଏକର ଚାଷଜମି ଗିଳି ସାରିଲାଣି ବୁଢ଼ାବଳଙ୍ଗ। ତୁରନ୍ତ ପଥର ପ୍ୟାଚିଂ ନକଲେ ମାନଚିତ୍ରରୁ ହଜିଯିବ ୨ଟି ଗାଁ।ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଶାମାଖୁଣ୍ଡା ବ୍ଲକ୍ର ଚଣାବାଡ଼ିଆ ଓ ଅକ୍ଷରଶିଳା ଗ୍ରାମ ପାଇଁ ବିପଦ ସାଜିଛି ବୁଢ଼ାବଳଙ୍ଗ। ଦିନକୁ ଦିନ ନଦୀପଠା ଧସୁଥିବାରୁ ବର୍ଷ କେଇଟାରେ ଏହି ୨ ଗାଁ ମାନଚିତ୍ରରୁ ହଜିଯିବ ଓ ନଦୀଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି ଗ୍ରାମବାସୀ।
ଏହି ଦୁଇ ଗ୍ରାମର ଜନସଂଖ୍ୟା ୫ ଶହରୁ ଅଧିକ ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଚାଷବାସ ଉପରେ ନିର୍ଭରଶୀଳ। ୨୦୧୩ ପାଖରୁ ସେମାନଙ୍କ ଭାତହାଣ୍ଡି ଉଜାଡ଼ିବାରେ ଲାଗିଛି ନଦୀ।ପ୍ରଳୟଙ୍କକାରୀ ବାତ୍ୟା ପରେ ବୁଢ଼ାବଳଙ୍ଗ ନଦୀର ଗତିପଥ ବଦଳିବା ସହ ଗାଁ ପାଖ ଚାଷଜମି ଗିଳି ଚାଲିଛି। ଏଥିମଧ୍ୟରେ ପ୍ରାୟ ୧୫ ଏକରରୁ ଅଧିକ ଚାଷଜମି ନଦୀଗର୍ଭରେ ଲୀନ ହୋଇଗଲାଣି। ଏବେ ପ୍ରତ୍ୟେକ ବର୍ଷ ବନ୍ୟାରେ ନଦୀ କୂଳ ଖାଇବା ସହ ୧୦ରୁ ୨୦ ମିଟର ଗ୍ରାମଆଡ଼କୁ ମାଡ଼ିଆସୁଛି।ନଦୀର ଜଳପତ୍ତନରୁ ଗ୍ରାମର ଉଚ୍ଚତା ମାତ୍ର ୨୫ ଫୁଟ୍ରୁ ଅଧିକ ହେବ।
ଏଥିସହ ନଦୀଠାରୁ ଦୂରତା ଆଉ ମାତ୍ର ଦୁଇଶହ ମିଟର ରହିଲା। ତେଣୁ ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ଭୟରେ କାଳ କାଟୁଛନ୍ତି ଗ୍ରାମବାସୀ। ଏ-ବେ ନଦୀପଠାରେ ଥିବା ବଡ଼ବଡ଼ ଗଛ ଉପୁଡ଼ି ଯାଇଥିବାର ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଜାରି ରହିଲେ ଗ୍ରାମଠାରୁ କୁଳିଅଣା ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ଭାବେ ବିଚ୍ଛେଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏନେଇ ଗ୍ରାମବାସୀ ୨୦୨୩ରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବାସୀ ଗୁହାରି ଜଣାଇବା ପରେ,ଜିଲ୍ଲାପାଳ ଏହାର ଯାଞ୍ଚ କରିବା ପାଇଁ ଜିଲ୍ଲା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏ ଏହି ୨ ଗ୍ରାମକୁ ନଦୀ ଆଁରୁ ସୁରକ୍ଷା ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ପୁଣି ଅଭିଯୋଗ ଜନାଇଛନ୍ତି।
ବର୍ତ୍ତମାନର ସରକାର ସମେତ ସ୍ଥାନୀୟ ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ତେବେ ନେଡ଼ିଗୁଡ଼ କହୁଣୀକୁ ବହିଯିବା ପୂର୍ବରୁ ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ତୁରନ୍ତ ପଥର ପେଚିଂ କାର୍ଯ୍ୟ ଆରମ୍ଭ କରିବାକୁ ସରପଞ୍ଚ ଶ୍ରୀ ସିଂ ଓ ଗ୍ରାମବାସୀ ଦାବି ଜଣାଇଛନ୍ତି। ଏଥି ସହିତ ଜିଲ୍ଲାପାଳଙ୍କୁ ଭେଟିବା ପରେ ଜିଲ୍ଲାପାଳ ତୁରନ୍ତ ଏହାର ସମାଧାନ କରିବା ସହ ଯଥା ଶୀଘ୍ର ଆଡ଼ିବନ୍ଧ ନିର୍ମାଣ କିପରି ଭାବରେ ଆରମ୍ଭ ହେବ ଏ ବାବଦରେ ପ୍ରତିକ୍ରିୟା ରଖଛନ୍ତି। ତେବେ ବୁଢ଼ାବଳଙ୍ଗରେ କେବେ ଆଡ଼ିବନ୍ଧ ନିର୍ମାଣ ହେଉଛି। ଆଉ ଗ୍ରାମବାସୀଙ୍କ କେବେ ଦୁର୍ଦ୍ଦଶା ଦୂର ହେଉଛି ତାହା ଦେଖିବକୁ ବାକି ରହିଲା