)
Odisha News: ପୁରୀ: ଆରମ୍ଭ ହେଲା ଜଗନ୍ନାଥ ମନ୍ଦିରର ପ୍ରଶାସନର ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପଦ ପ୍ରଯୁକ୍ତ ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଉଛି।ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଭାବରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡ଼ା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀର ଅନୁମୋଦନକୁ ନେଇ ହେଉଛି ବୈଠକ। ଗୁରୁତ୍ଵପୂର୍ଣ୍ଣ ପ୍ରଶାସନିକ ବିଷୟ ଉପରେ ମଧ୍ୟ ହେବ ଆଲୋଚନା ।ରତ୍ନ ଭଣ୍ଡାର ସମୀକ୍ଷା,ପ୍ରସ୍ତାବିତ ନାଟମଣ୍ଡପ ଧାଡ଼ି ଦର୍ଶନ, ଇସ୍କନ୍ ଦ୍ଵାରା ଆୟୋଜିତ ଅଦିନିଆ ରଥଯାତ୍ରା, ଜମିଜମା, ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ନେଇ ସୂଚନା ରହିଛି।
ସେହିପରି ହୋଇଥିବା ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଦ୍ୱାରା ପାରିତ କରାଯିବ। ସେହିପରି ଶୃଙ୍ଖଳିତ ଧାଡ଼ି ଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇପାରେ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି ମୋହନ । ଏହାସହ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରିଛନ୍ତି ମୋହନ ମାଝୀ । ଏନେଇ ଦିଲ୍ଲୀରୁ ଫେରି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜୁନ୍ ୨୭ ତାରିଖ ଶୁକ୍ରବାର ଦିନ ଏଥର ତିନିଠାକୁର ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।