Trending Photos
Odisha News :ଭୁବନେଶ୍ବର: ଯାଜପୁରରେ ଦେଖାଦେଇଥିବା ଝାଡ଼ାବାନ୍ତି, ଡାଇରିଆ ଏବେ ରାଜ୍ୟର ୬ ଜିଲ୍ଲାକୁ ମାଡିଗଲାଣି। କେନ୍ଦୁଝର, ଭଦ୍ରକ ପରେ ଏବେ ଖୋର୍ଦ୍ଦା, କଟକ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ଡାଇରିଆ ରୋଗୀଙ୍କୁ ଚିହ୍ନଟ ହୋଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲ୍ରେ ୧୫ ଶହରୁ ଅଧିକ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ୧୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ମାତ୍ର ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଯାଜପୁରରେ ବର୍ତ୍ତମାନ ସୁଦ୍ଧା ୧୧ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ୨୦୦ ରେକ୍ଟାଲ୍ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଖୁବଶୀଘ୍ର ଆସିବ। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ପାଣି ଓ ବିଷାକ୍ତ ଖାଦ୍ୟ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ୨୫୦୦ ଲୋକ ଏକ ଭୋଜିରେ ଖାଇଥିଲେ। ସେଇଠୁ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସନ୍ଦେହ କରାଯାଉଛି। ନଚେତ ବହୁ ଲୋକଙ୍କ କୂଅ ଓ ନଳକୂଅ ଅଳ୍ପ ଗଭୀର ହୋଇଥିବାରୁ ସଂକ୍ରମଣର ସମ୍ଭାବନା ରହିଛି ବୋଲି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ମିଶ୍ର କହିଛନ୍ତି।
ସେପଟେ ଝାଡ଼ାବାନ୍ତି ଯାଜପୁର ଜିଲ୍ଲା ସୀମା ଡେଇଁ ରାଜ୍ୟର ୬ଟି ଜିଲ୍ଲାକୁ ମାଡିଗଲାଣି। ଯାଜପୁର ସୀମାବର୍ତ୍ତୀ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ବି ବ୍ୟାପିଲାଣି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ସାଲାପୁର ଓ ମାଲଦା ପଞ୍ଚାୟତର ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୩ ଜଣ ଭଲ ହୋଇଥିଲେ ବି ଦୁଇଜଣ ଗୁରୁତର ହୋଇ କଟକ ଏସସିବିକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଭଦ୍ରକରେ କେହି କଲେରା ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବା ସହିତ ଟିମ୍ ପହଞ୍ଚିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀର ନାୟକ ନା କହିଛନ୍ତି।
କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ ମଧ୍ଯ ଝାଡ଼ାବାନ୍ତି ବ୍ୟାପିଛି। ବାତୋରେ ୨ ଜଣ ଝାଡ଼ାବାନ୍ତିରେ ପ୍ରାଣ ହରାଇଛନ୍ତି। ଚମ୍ପାପାଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଙ୍କ ପରିବାରରୁ ୩ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ମୃତ୍ୟୁ ବାବଦରେ ସ୍ପଷ୍ଟ ସୂଚନା ଦେବାକୁ ମନା କରିଛନ୍ତି। ବରଗଡ଼ ଜିଲ୍ଲାର ପାଇକମାଳରେ ମଧ୍ୟ ଶତାଧିକ ଝାଡ଼ାବାନ୍ଧିରେ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତିଷ କଟକ ଜିଲ୍ଲାର ବାଙ୍କୀରେ ୨୯ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛନ୍ତି। ସେମାନେ ବାଙ୍ଗୀ ଓ ଆଠଗଡ଼ର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।