)
Monsoon Session: ଭୁବନେଶ୍ୱର: ବିଜୁ ଜନତା ଦଳ ଲାଗି ଆଜି ପୁଣିଥରେ ରାଜ୍ୟ ବିଧାନସଭା ଅଚଳ ହୋଇଛି। ଲଗାତାର ତୃତୀୟ ଦିନରେ ଆଜି ଗୃହରେ ବାଧା ଦେଖିବାକୁ ମିଳିଛି। କେବଳ ଶୋକ ପ୍ରୟସ୍ତାବ ବ୍ୟତୀତ ଆଜି କୌଣସି ଆଲୋଚନା ପ୍ରଥମାର୍ଦ୍ଧରେ ହୋଇପାରି ନାହିଁ। ବାଚସ୍ପତି ଗୃହ କାର୍ଯ୍ୟକୁ ୪ଟା ଯାଏ ମୁଲତବୀ କରିଛନ୍ତି।
ଆଜି ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଦିବଂଗତ ବିଧାୟକ ଜର୍ଜ ତିର୍କୀଙ୍କ ସ୍ମୃତିଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଣିବା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରି ଜର୍ଜଙ୍କ ପରିବାର ବର୍ଗଙ୍କୁ ବିଧାନସଭା ପକ୍ଷରୁ ସାନ୍ୱନା ପ୍ରଦାନ କରିଥିଲେ।
ଏହାପରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେବା କଥା। କିନ୍ତୁ ବିଜେଡିର ବିଧାୟକମାନେ ଗୃହର ମଧ୍ୟଭାଗକୁ ପ୍ରବେଶ କରି ନାରାବାଜୀ କରିବା ଆରମ୍ଭ କରିଥିଲେ। ପୂର୍ବ ଅଧିବେଶନରେ କଂଗ୍ରେସ ଯେପରି ସମ୍ପୂର୍ଣ୍ଣ ଅଧିବେଶନକୁ ନିଜ କବଳିତ କରିବା ପାଇଁ ଚେଷ୍ଟା କରିଥିଲା ଏଥର ବିଜେଡି ନିଜର ଅସ୍ତିତ୍ୱ ପ୍ରଦର୍ଶନ ଲାଗି ଅନୁରୂପ ଉଦ୍ୟମ କରିଥିଲା। ଏହାଦ୍ୱାରା ଗୃହ ଅସ୍ୱଭାବିକ ହେବା ସହ ଆଲୋଚନା ପାଇଁ ବାତାବରଣ ନଥିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଥିଲେ।
ଏହାପରେ ବିଜେଡିର ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟି ସାର ସମସ୍ୟା ବାବଦରେ ଅବଗତ କରିବା ସହ ଦାବିପତ୍ର ଦେବା ଲାଗି ଯିବାର କାର୍ଯ୍ୟକ୍ରମ ରହିଛି।