Trending Photos
)
Jagatsinghpur Triple Murder:ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଧୋବାସାହିରୁ ଆସିଛି ଛାତି ଥରାଇଲା ଭଳି ଖବର। ଏହି ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡର ଖବର ମଙ୍ଗଳବାର ସକାଳୁ ବିଜୁଳି ବେଗରେ ସମଗ୍ର ରାଜ୍ୟରେ ବ୍ୟାପି ଯାଇଥିଲା। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରିଛି ମୃତକଙ୍କ ପୁଅ। ମୃତକମାନେ ହେଉଛନ୍ତି କୁଳମଣି ସେଠୀ, ତାଙ୍କ ପତ୍ନୀ ଓ ଝିଅ। ମୃତକ କୁଳମଣୀ ସେଠୀଙ୍କ ନାବାଳକ ପୁଅ ଏହି ହତ୍ୟାକାଣ୍ଡ କରିଥିବା ନେଇ ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯୟୀ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ ଗତରାତିରେ ମଦ ପିଇ ଘରକୁ ଫେରିଥିଲେ। ଏହାକୁ ନେଇ ଘରେ ବାପା କୁଳମଣୀ ସେଠୀ, ମା କନକଲତା ସେଠୀ ଓ ଭଉଣୀ ରୋଜାଲିନ ସେଠୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏପରିକି ରାତିରେ ମଧ୍ୟ ପ୍ରବଳ ଝଗଡ଼ା ଲାଗିଥିବା ନେଇ ପଡୋଶୀମାନେ ସୂଚନା ଦେଇଛନ୍ତି। ତେବେ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ଗତ ରାତିରେ ସେମାନଙ୍କୁ ଛେଚି ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି। ସାନପୁଅ ସୂର୍ଯ୍ୟକାନ୍ତ ସେଠୀ ଏହି ଜଘନ୍ଯ କାଣ୍ଡ ଘଟାଇଛି।
ରାତି ପ୍ରାୟ ୨ଟାରୁ ସାଢେ ୨ଟା ଭିତରେ ଏହି ଘଟଣା ଘଟିଛି। ଭିତରେ ପଥର ଓ ବାହାରେ ହେମ ଦସ୍ତା ପୁଆ ପଡ଼ିଥିବାରୁ ସେଥିରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ତିନିଟି ମୃତଶରୀର ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ମୁଣ୍ଡ ନଷ୍ଟ ହୋଇଯାଇଛି। ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀକୁ ଜଗତସିଂହପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି।