)
V.Sugnana Kumari Deo: ଆଉ ନାହାଁନ୍ତି ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ (former mla V.Sugnana Kumari Deo)। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୪ ମିନିଟରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଥିଲା। ବିମାନବନ୍ଦରରୁ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ସେଠାରେ ଦଳୀୟ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ସୁଜ୍ଞାନ ଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ମର ଶରୀରକୁ ଖଲ୍ଲିକୋଟ ଅଭିମୁଖେ ନିଆଯାଇଥିଲା। ସେଠାରେ ବହୁ ବିଧାୟକ, ମନ୍ତ୍ରୀ, ସମର୍ଥକ ଓ ଅଞ୍ଚଳବାସୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଆଜି ସକାଳୁ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଶେଷ ଦର୍ଶନ ପାଇଁ ଖଲିକୋଟ୍ ବାସଭବନରେ ଲୋକଙ୍କ ଭିଡ଼ ଲାଗିଛି। ଦିନ ୧୨ଟା ପର୍ଯ୍ୟନ୍ତ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ଜଣାପଡି଼ଛି। ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଥିଲେ। ସେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ ଥର ବିଧାୟିକା ଥିଲେ । ସେ ଖଲିକୋଟ ରାଣୀ ଭାବେ ମଧ୍ୟ ସୁପରିଚିତ।