Trending Photos
Odisha news: ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଇ-କେୱାଇସି ପ୍ରକ୍ରିୟାରେ ଲକ୍ଷାଧିକ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ପୂର୍ବରୁ ଏହି ବ୍ୟକ୍ତିମାନଙ୍କୁ ରାସନ କାର୍ଡ ଯୋଗେ ସରକାର ଖାଦ୍ୟ ସୁରକ୍ଷା ଆଇନ ଦ୍ୱାରା ଖାଦ୍ୟଶସ୍ୟ ପ୍ରଦାନ କରିଆସୁଥିଲେ। ଏବେ କାର୍ଡ ଯାଞ୍ଚ ପ୍ରକ୍ରିୟା ଦ୍ୱାରା ଏହି ମୃତକଙ୍କୁ ବାଦ ଦେବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ବିଧାନସଭାରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଅଣାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସରକାର ଏବେ ସୁଦ୍ଧା ଲକ୍ଷେ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ତାଲିକାରୁ ବାଦ ଦେଇଛନ୍ତି। ଖାଲି ହୋଇଥିବା ଏମାନଙ୍କ ସ୍ଥାନରେ ସମାନ ସଂଖ୍ୟକ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ସାମିଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଏହି କାର୍ଯ୍ୟ ହାତକୁ ନେଇଛନ୍ତି।
ଏବେ ଏହି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ଚିହ୍ନିତ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ ଦିଆଯାଇ। ସେଥିରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏଥିନେଇ ସରକାର ଜାରି କରିଥିବା ମୃତ ହିତାଧିକାରୀ ତାଲିକାରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ମୃତ ହିତାଧିକାରୀ ଠାବ କରାଯାଇଛି। ଏହି ଜିଲ୍ଲାରେ ୨୪୫୭୯ ଜଣ ମୃତ ହିତାଧିକାରୀଙ୍କ ନାଁରେ କାର୍ଡ ଥିବାରୁ ତାହାକୁ ରଦ୍ଦ କରାଯାଉଛି। ସେହିପରି ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୧୪୪୩୬ ଜଣ ମୃତକଙ୍କୁ ଚିହ୍ନଟ କରାଯାଇ ହିତାଧିକାରୀ ତାଲିକାରୁ ବାଦ ଦିଆଯାଇଛି। ସେହିପରି ଭଦ୍ରକରେ ୧୨୯୯୦ , କଟକରେ ୧୨୧୩୮ ଚିହ୍ନଟ କରାଯାଇଛି।