Advertisement
Article Detail0/zeeodisha/odisha2740477
Zee OdishaOdisha StateOdisha News: ଧାପନ୍ତରା ଯୋଜନା ଭିତରେ ଧନ୍ଦି ହେଉଛନ୍ତି ‘ଲୋକଙ୍କ ସରକାର’

Odisha News: ଧାପନ୍ତରା ଯୋଜନା ଭିତରେ ଧନ୍ଦି ହେଉଛନ୍ତି ‘ଲୋକଙ୍କ ସରକାର’

Odisha News: ଜୁନ୍ ୧୨ତାରିଖରେ ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ଏକ ବର୍ଷ ପୂରିବ। ରାଜ୍ୟର ପ୍ରଥମ ବିଜେପି ସରକାର ଯାହାକୁ ଲୋକଙ୍କ ସରକାର ଭାବେ କେନ୍ଦ୍ରୀୟ ନେତୃତ୍ୱ ଚିତ୍ରଣ କରିବାକୁ ଚାହିଁଛନ୍ତି ତାହା କେତେ ସଫଳ ହୋଇଛି? 

Odisha News: ଧାପନ୍ତରା ଯୋଜନା ଭିତରେ ଧନ୍ଦି ହେଉଛନ୍ତି ‘ଲୋକଙ୍କ ସରକାର’

Odisha News: ଜୁନ୍ ୧୨ତାରିଖରେ ମୋହନ ମାଝିଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ଏକ ବର୍ଷ ପୂରିବ। ରାଜ୍ୟର ପ୍ରଥମ ବିଜେପି ସରକାର ଯାହାକୁ ଲୋକଙ୍କ ସରକାର ଭାବେ କେନ୍ଦ୍ରୀୟ ନେତୃତ୍ୱ ଚିତ୍ରଣ କରିବାକୁ ଚାହିଁଛନ୍ତି ତାହା କେତେ ସଫଳ ହୋଇଛି? ଏ ପ୍ରଶ୍ନ ଉଠିବାର କାରଣ ପଛରେ ରହିଛି ପ୍ରଚାର ପାଇଁ ସରକାର ଆରମ୍ଭ କରିଥିବା ପ୍ରସ୍ତୁତି। ସରକାର ପ୍ରତି ସହରାଞ୍ଚଳ, ବନ୍ଦରରେ ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ନଗର ଉନ୍ନୟନ ବିଭାଗ ଏହାର ନେତୃତ୍ୱ ନେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି କେଉଁ  ସଫଳତାକୁ ଆଧାର କରି ଢୋଲ  ସରକାର ପିଟିବେ? 

ଗତବର୍ଷ ଜୁନ୍‍ ୧୨ ତାରିଖରେ  କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଲୋକେ ମଧ୍ୟ ଶ୍ରୀ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଭୋଟ ଦେଇ ନଥିଲେ। କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ବିଭିନ୍ନ ସମୀକରଣକୁ ହିସାବ ଲଗାଇ ଆଦିବାସୀ ସମାଜରୁ ମୋହନଙ୍କୁ ବାଛି ଲୋକଙ୍କ ସରକାର ଭାବେ ଅଭିଷିକ୍ତ କରିଥିଲେ।  କିନ୍ତୁ ଲୋକଙ୍କ ସରକାର ଲୋକଙ୍କ ଲାଗି କି ଯୋଜନା କରିଛନ୍ତି ଆଉ କେତେ ସଫଳତା ପାଇଛନ୍ତି? 

ସଫଳତା ବିଷୟରେ କହିଲେ ଆଗକୁ ଆସେ ସରକାରଙ୍କ ଟଙ୍କା ବଣ୍ଟା କର୍ଯ୍ୟକ୍ରମ। ଏଥିରେ ସୁଭଦ୍ରା, ସିଏମ୍‍ କିସାନ, ଏମ୍‍ଏସ୍‍ପି ବୃଦ୍ଧି, ଶ୍ରମିକଙ୍କ ମଜୁରୀ ବୃଦ୍ଧି ପ୍ରଭୃତି। ଗଲା ୧ ବର୍ଷ ହେଲା ସୁଭଦ୍ରା ପ୍ରଚାରରେ ଲାଗିଥିବା ସରକାର ବାସ୍ତବରେ ନିର୍ବାଚ ପ୍ରତିଶୃତିକୁ ପାଳନ ନୁହେଁ ପ୍ରତାରଣା ଦେଇଥିବା କୁହାଯାଏ। କାରଣ କ୍ଷମତାକୁ ଆସିବା ପୂର୍ବରୁ ବିଜେପିର ନେତାମାନେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଏହା ଏକକାଳୀନଭାବେ ପ୍ରିପେଡ୍‍ କାର୍ଡ ମାଧ୍ୟମରେ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ସରକାର ଯେତେବେଳେ ନିୟମ ପ୍ରଣୟନ କରିଲେ ତାହା ୫ ବର୍ଷିଆ ସ୍କିମ୍‍ ରେ ପରିଣତ ହୋଇଗଲା। ଅର୍ଥାତ୍‍  କୃଷକମାନଙ୍କୁ ଯେମିତି ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳୁଛି ଠିକ୍‍ ସେପରି ମହିଳାଙ୍କୁ ମଧ୍ୟ ସମାନ ପ୍ରକାରର ସହାୟତା ମିଳିବା ଆରମ୍ଭ ହୋଇଛି। ଫରକ ଏତିକି କୃଷକମାନଙ୍କୁ ମିଳୁଥିବା ଏ ଟଙ୍କାରୁ କେନ୍ଦ୍ର ସରକାର ବର୍ଷକୁ ୬ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୪ ହଜାର ଟଙ୍କା ଦେଉଛନ୍ତି। କିନ୍ତୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳୁଥିବା ନଗଦ ୧୦ ହଜାର ଟଙ୍କା ରାଜ୍ୟ ନିଜ ତହବିଲରୁ ହିଁ ଖର୍ଚ୍ଚ କରୁଛି। ଏ ଭିତରେ ପୂରା ଏକ ବର୍ଷ ବିତିଗଲାଣି ହେଲେ ବର୍ଷକର ହିତାଧିକାରୀ ଚିହ୍ନଟ ଓ ଟଙ୍କା ବଣ୍ଟା ସରିପାରି ନାହିଁ। 

Add Zee News as a Preferred Source

ଏହିଭଳି ଆଉ ଏକ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ହେଉଛି ଧାନକ୍ରୟରେ କୃଷକଙ୍କୁ ସର୍ବନିମ୍ନ ସହାୟତା ବା ଏମ୍‍ଏସ୍‍ପି ବୃଦ୍ଧି। ଏବେ ଚାଷୀଙ୍କୁ କ୍ୱିଣ୍ଟାଲ୍‍ ପିଛା ସହାୟତା ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହୋଇଛି ଏଥିରେ ସନ୍ଦେହ ନାହିଁ। କିନ୍ତୁ ଧାନ କିଣାବେଳେ ଚାଷୀଙ୍କଠାରୁ ସବୁ ଅମଳ ହୋଇଥିବା ଧାନ କିଣିବା, କଟନୀ ଛଟନୀ ବନ୍ଦ କରିବା ଆଦି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଠାରେ ପାଳନ କରାଯାଇ ନାହିଁ। 

ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କ ମଜୁରୀକୁ ଦୈନିକ ୧୦ଟଙ୍କା ବୃଦ୍ଧି  କରିଛନ୍ତି ସରକାର। ପୂର୍ବରୁ ସର୍ବନିମ୍ନ ମଜୁରୀ ୪୫୨ଟଙ୍କା ଥିବା ବେଳେ ଏେବ ତାହା ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବି ଲୋକଙ୍କ ପାଖରେ ଅଧିକ ଅର୍ଥ ପହଞ୍ଚାଇ ସେମାନଙ୍କ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବାର ଏହା ଏକ ଯୋଜନା। 

କିନ୍ତୁ ପ୍ରଶ୍ନ ହେଉଛି ଏକ ନିର୍ବାଚିତ ସରକାର ଯାହାଙ୍କୁ ଲୋକେ ଭିନ୍ନ ଶାସନ ପାଇଁ ଭୋଟ ଦେଇଥିଲେ,ତାହାର ସଫଳତା କଣ? ରାଜ୍ୟ ତହବିଲରୁ ଖର୍ଚ୍ଚ ବୃଦ୍ଧି ପାଇଁ ଯୋଜନା ହୋଇଛି ସତ କିନ୍ତୁ ଏସବୁ ତୁଲାଇବା ଲାଗି ଆୟ କେଉଁଠୁ ହେଉଛି? 

ଅର୍ଥ ଖର୍ଚ୍ଚ କରିବା ଯୋଜନା ଗୁଡ଼ିକର ରୂପାୟନ ପରେ କେନ୍ଦ୍ରୀୟ ଯୋଜନାକୁ ରୂପାୟନ କରିବା ନେଇ ସରକାର ନେଇଥିବା କିଛି ବିଷୟକୁ ମଧ୍ୟ ସରକାର ସଫଳତା ଭାବେ ଗ୍ରହଣ କରୁଛନ୍ତି। ଏହିକ୍ରମରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ, ପିଏମ୍‍ ଉଷା ପାଇଁ  କେନ୍ଦ୍ର ସହ ବୁଝାମଣା ପ୍ରଭୃତି ପ୍ରମୁଖ। ପୂର୍ବତନ ବିଜେଡି ସରକାର ସମୟରେ ଥିବା ସ୍ୱାସ୍ଥ୍ୟବୀମା ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହାକୁ ଅପସାରଣ କରି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଦ୍ୱାରା ଲୋକଙ୍କୁ ଅଧିକ ହସ୍‍ପିଟାଲରେ ଚିକିତ୍ସା ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଥିଲା। ହେଲେ ଆଜି ଯାଏ ଏହି ଯୋଜନାକୁ ରୂପାୟନ ପାଇଁ ଟେକ୍ନୋଲୋଜି ବିସ୍ତାର କରାଯାଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି। 

ଠିକ୍‍ ସେହିପରି ସରକାରଙ୍କ ଏପରି ବିଳମ୍ବିତ ପ୍ରକ୍ରିୟାରେ ନୂଆ ରାସନ୍‍ କାର୍ଡ ପାଇଁ ଆବେଦନ କରିଥିବା ସମ୍ଭାବ୍ୟ ହିତାଧିକାରୀ ବି ହନ୍ତସନ୍ତ ହେଉଛନ୍ତି। ଶ୍ରୀମନ୍ଦିରର ଭକ୍ତ ବି ଅନେକ ସଂସ୍କାର ଶୁଣୁଛନ୍ତି କିନ୍ତୁ ତାହା ଲାଗୁ ହୋଇପାରୁ ନଥିବାରୁ ସରକାରଙ୍କ ଉପରେ ଅଶାନ୍ତି ହୋଇଛନ୍ତି। କେତେବେଳେ ଧାଡ଼ି ଦର୍ଶନ ହେବ, କେତେବଳେ ବନ୍ଦ ହେବ, କେତେବଳେ ଅବଢ଼ା ମିଳିବ, କେତେବେଳେ ଶ୍ରୀ ଜିଉଙ୍କୁ ଦର୍ଶନରେ ପରିବର୍ତ୍ତନ ପ୍ରଭୃତି ବିବାଦ ଆଜି ବି ଲାଗି ରହିଛି। ସରକାର ତାହାକୁ ନେଇ ଗଣମାଧ୍ୟମରେ କେବଳ ଭାଷଣବାଜୀ ସିନା କରୁଛନ୍ତି ସମାଧାନ କରିପାରୁ ନାହାନ୍ତି। 

ଠିକ୍‍ ସେହିପରି ନିର୍ବାଚନ ପ୍ରତିଶୃତିରେ ସରକାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି, ଭଣତି ଓ ମରାମତି କଥା କହିଥିଲେ। ବର୍ଷେ ପୂରିଲାଣି ହେଲେ ରତ୍ନ ଭଣ୍ଡାର ଖାଲି ଖୋଲିଛନ୍ତି ସିନା, ଗଣତି, ଭଣତି, ମଣତି ଓ ମରାମତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି।  

ରାଜ୍ୟ ସରକାର ବଜେଟ୍‍ରେ ପାଣ୍ଠି ଦେଇ ନାହାନ୍ତି ତାହା ନୁହେଁ। ଶ୍ରୀମନ୍ଦିର ଲାଗି ୫୦୦ କୋଟି ପ୍ରଦାନ କରାଯାଇ କର୍ପସ ପାଣ୍ଠି ଘୋଷଣା କରାଯାଇଛି ହେଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହାତ ମାରି ପାରୁ ନାହାନ୍ତି। ଗତ ଆର୍ଥିକ ବର୍ଷରେ ଟଙ୍କା ଖର୍ଚ୍ଚ କରିପାରି ନଥିବାରୁ ସରକାର ବିରୋଧୀ ଦଳ ଦ୍ୱାରା ବେଶ୍‍ ସମାଲୋଚିତ ହୋଇଥିଲେ। ଏହାପରେ ପୂର୍ତ୍ତ ବିଭାଗକୁ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ଦେଲେ। ଏହାକୁ ନେଇ ଭୁବନେଶ୍ୱରରର ବିଭିନ୍ନ ରାସ୍ତା, ଫ୍ଲାଏଓଭରରେ ମାଷ୍ଟିକ୍‍ ଆସ୍ଫାଲଟ୍‍  ଚାଦର ବିଛାଇବା ଆରମ୍ଭ ହେଲା। ଏବେ ମାର୍ଚ୍ଚ ମାସ ସରି ମେ’ ମାସ ପ୍ରଥମ ସପ୍ତାହ କିନ୍ତୁ କାମ ଅଧାରୁ ଠପ୍‍ ହୋଇ ପଡ଼ିଛି। ସବୁ ଫ୍ଲାଏ ଓଭରରେ ଗୋଡ଼ି, ବାଲି, ସିମେଣ୍ଟ ପିଚୁ ଗଦା ହୋଇଛି। ଏହାସହ ରାସ୍ତା ନିର୍ମାଣର ଉପକରଣ ରାସ୍ତାକୁ ଅବରୋଧ କରୁଛି କିନ୍ତୁ ସରକାରୀ କଳ ଶୋଇଛନ୍ତି। ରାଜଧାନୀରେ ଏ ଅବସ୍ଥାରୁ ରାଜ୍ୟର ଅବସ୍ଥା କ’ଣ ଥିବ ଆପଣ ଅନୁମାନ କରନ୍ତୁ।

About the Author