Advertisement
Article Detail0/zeeodisha/odisha2669670
Zee OdishaOdisha StateBiju Jayanti: ବିଜୁ ଜୟନ୍ତୀରେ ମୋହନଙ୍କ ବିଜୟ ହୋଇଛି କି ?

Biju Jayanti: ବିଜୁ ଜୟନ୍ତୀରେ ମୋହନଙ୍କ ବିଜୟ ହୋଇଛି କି ?

ଦଳରେ ସୃଷ୍ଟି ହୋଇଥିବା ଫାଟକୁ ଦୂର କରିବାରେ ବିଜେଡି ବା ନବୀନ ଆଉ ସମର୍ଥ ହେଉ ନାହାନ୍ତି। ଯଦି ଏହିପରି ନୀରବତା ରକ୍ଷା କରାଯାଏ ତେବେ ଆଗକୁ ବିଜୁ ଜନତା ଦଳ ଉପରେ ବିଜେପି ଭାରି ପଡ଼ିବ ତାହା ସ୍ୱଭାବିକ। ବିଧାନସଭାରେ ଏତେ ସଂଖ୍ୟାରେ ବିରୋଧୀ ଦଳ ରହି ମଧ୍ୟ ତାହା ସରକାରଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ରହିବେ।

Biju Jayanti: ବିଜୁ ଜୟନ୍ତୀରେ ମୋହନଙ୍କ ବିଜୟ ହୋଇଛି କି ?

Biju Jayanti: ଭୁବନେଶ୍ୱର: ଯେଉଁ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ୨୪ ବର୍ଷ ଧରି ନିରଙ୍କୁଶ କ୍ଷମତା ଉପଭୋଗ କରିଲେ, ସେମାନେ ଗଲେ କୁଆଡ଼େ?  ଯାହାଙ୍କ ନାଁରେ ପଦଯାତ୍ରାଠୁ ଆରମ୍ଭ କରି ରାଜନୀତିକ ସଭାସମିତିର ସୁଅ ଛୁଟୁଥିଲା, ଛକ ବଜାରରେ ଯାହାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିଲା, ତାଙ୍କ ପ୍ରଭାବ କ’ଣ ରାଜ୍ୟରେ କମିଗଲା? କ୍ଷମତାରେ ଥିବା ବେଳେ ଅହୋରାତ୍ରୀ ଯେଉଁମାନେ ଅନେକ ରାଜନୀତିକ କାର୍ଯ୍ୟରେ ଯୋଗ ଦେଉଥିଲେ ସେମାନେ କାହିଁକି ସଙ୍କୁଚିତ? 

ଏମିତି ପ୍ରଶ୍ନ ଆଜି ଉଠିବାର କାରଣ ହେଉଛି ବିଜେପି ସରକାରଙ୍କ ସରକାରୀ କାର୍ଯ୍ୟକ୍ରମରେ ରାଜନୀତିକ ଉଦ୍ଦେଶ୍ୟ ପ୍ରବେଶ। କଥା ହେଉଛି ମାର୍ଚ୍ଚ ୫ ତାରିଖରେ ସରକାର ପାଳୁଥିବା ବିଜୁ ପଟ୍ଟନାୟକ ଜୟନ୍ତୀରେ ଆଉ ପଞ୍ଚାୟତିରାଜ ଦିବସ ପାଳନ ହେବ ନାହିଁ କି ଏହି ଦିନକୁ ଛୁଟି ଘୋଷଣା କରାଯିବ ନାହିଁ। ଯେମିତି ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସନ୍ଧ୍ୟାରେ ତାଙ୍କର ସ୍ମୃତିଚାରଣ କରାଯାଏ ଠିକ୍‍ ସେହି କାର୍ଯ୍ୟକ୍ରମ ସରକାର ଗ୍ରହଣ କରିବାକୁ ଯାଉଛନ୍ତି। ପୁଣି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କ୍ରମେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ସେଥିରେ ପୁଣି ସେ ବିରୋଧୀ ଦଳ ନେତା ତଥା ବିଜୁ ବାବୁଙ୍କ ପୁତ୍ରଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ଏହାକୁ ମୋହନଙ୍କ ରାଜନୀତିକ ଚକ୍ର ଚାଳନାର ପ୍ରଥମ ପଦକ୍ଷେପ ବୋଲି ଗ୍ରହଣ କରାଯାଉଛି। 

Add Zee News as a Preferred Source

କିନ୍ତୁ ଏହାର ଜବାବ ଦେବାରେ ବିଜେଡି ବିଫଳ ହେବାପରି ଦେଖାଯାଉଛି। ବିଜେଡିର କର୍ମୀ ତଥା ସମର୍ଥକଙ୍କ ସଂଖ୍ୟା ରାଜ୍ୟରେ ନାହିଁ ନା ସଂଗଠନ ଅତ୍ୟନ୍ତ ଦୁର୍ବଳ ହୋଇଛି ତାହା ବି ପ୍ରଶ୍ନବାଚୀକୁ ଆସିଛି। କାରଣ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜନୀତିକ ସ୍ତରରେ ବିରୋଧୀ ଦଳର ସମ୍ମାନ ହାନୀ ହେବ। ଏହାଛଡ଼ା ବିରୋଧୀ ଦଳର ‘ମୁଣ୍ଡ କାଟ’ କରିବା ଭଳି ପ୍ରସଙ୍ଗ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର ପ୍ରତିବାଦ କରିବା କେବଳ କିଛି ବରିଷ୍ଠ ନେତାଙ୍କର ସାମ୍ବାଦିକ ସମ୍ମିଳନୀରେ ହିଁ ସୀମିତ ରହିଛି। 

ପୂର୍ବରୁ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ମହିଳାମାନଙ୍କ ନେତୃତ୍ୱରେ ପଞ୍ଚାୟତର ବିକାଶ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ବିଜୁ ବାବୁ ଧ୍ୟାନ ଦେଉଥିବା ଚର୍ଚ୍ଚା ହେଉଥିଲା। ବିଜୁବାବୁଙ୍କ ଏହି ଅବଦାନକୁ ରକ୍ଷା କରିବା ଲାଗି ତାଙ୍କରି ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।  କିନ୍ତୁ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ସଶକ୍ତ ପଞ୍ଚାୟତକୁ ଗୁରୁତ୍ୱ  ଦେବାକୁ ଯାଇ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ ତାରିଖରେ ପାଳନ କରାଯାଉଛି। ଅର୍ଥାତ୍‍ ଓଡ଼ିଶାରୋ ଏ ଉଦ୍ୟମ ମୋଦୀଙ୍କ ଆଗରୁ ଚଳି ଆସିଛି, ତାହା ସତ୍ୟ। ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର  ରାଜନୀତିକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ନକରିବା ସ୍ପଷ୍ଟ କରୁଛି ଯେ ଦଳରେ ସୃଷ୍ଟି ହୋଇଥିବା ଫାଟକୁ ଦୂର କରିବାରେ ବିଜେଡି ବା ନବୀନ ଆଉ ସମର୍ଥ ହେଉ ନାହାନ୍ତି। ଯଦି ଏହିପରି ନୀରବତା ରକ୍ଷା କରାଯାଏ ତେବେ ଆଗକୁ ବିଜୁ ଜନତା ଦଳ ଉପରେ ବିଜେପି ଭାରି ପଡ଼ିବ ତାହା ସ୍ୱଭାବିକ। ବିଧାନସଭାରେ ଏତେ ସଂଖ୍ୟାରେ ବିରୋଧୀ ଦଳ ରହି ମଧ୍ୟ ତାହା ସରକାରଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ରହିବେ।

About the Author