)
Panchuka:ପୁରୀ: ଆଜିଠୁ ଆରମ୍ଭ ହେଲା ପଞ୍ଚୁକ। କାର୍ତ୍ତିକ ମାସର ଶେଷରେ ଏହି ପଞ୍ଚୁକ ପାଳନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି। ଏଥର ୪ ଦିନ ପଞ୍ଚୁକ ରହୁଥିଲାକୁ ଚାରି ଦୁର୍ଲଭ ବେଶରେ ଦର୍ଶନ ଦେବ ଶ୍ରୀଜିଉ । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏକମୁଖି ଦର୍ଶନ ପ୍ରବେଶ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କୁ ଭିତର କାଠ ମନା ହୋଇଛି ।
ଏହି ପଞ୍ଚୁକ ସମୟରେ ମହାପ୍ରଭୁ ଦୁର୍ଲଭ ବେଶରେ ଦର୍ଶନ ଦେବେ। ପଞ୍ଚୁକରେ ଶ୍ରୀମନ୍ଦିରରେ ରହିଥାଏ ସ୍ଵତନ୍ତ୍ର ନୀତି। ଆଜିଠାରୁ ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ୨ ନଭେମ୍ବର ଅର୍ଥାତ ଆଜି ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀ- ନାରାୟଣ ବେଶ । ୩ ନଭେମ୍ୱରରେ ତ୍ରିବିକ୍ରମ ବେଶ, ୪ ନଭେମ୍ବରରେ ଲକ୍ଷ୍ମୀ-ନୃସିଂହ ବେଶ ଓ ୫ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ଠାକୁର । ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଞ୍ଚୁକ ପାଳନ ହେଉଥିବାରୁ ଏଥର ବାଙ୍କ ଚୁଡ ବେଶ ହେବନାହିଁ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକ ଅର୍ଥ ୫ଟି ତିଥି ପାଳିତ ହୋଇଥାଏ। କାର୍ତ୍ତିକ ଶୁକ୍ଳ ହରି ଉତ୍ଥାପନୀ ବଡ଼ ଏକାଦଶୀଠାରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ। ଯଦି ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ କ୍ଷୟା ତିଥି ପଡ଼ିଲେ ପଞ୍ଚୁକ ଚାରିଦିନିଆ ହୋଇଯାଏ। ଏ ବର୍ଷ ଉତ୍ଥାପନୀ ଏକାଦଶୀ ପରଦିନ ତ୍ରୟୋଦଶୀ ପଡୁଛି। ନଭେମ୍ବର ୨ ତାରିଖ ରବିବାର ଗୋଟିଏ ଦିନରେ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ସ୍ପର୍ଶ ହେଉଛି ବା ତ୍ର୍ୟହସ୍ପର୍ଶ ହେଉଛି। ଦ୍ବାଦଶୀ କ୍ଷୟ ହେଉଥିବାରୁ ଏହାକୁ କ୍ଷୟା ତିଥି ବା ଅବମ ତିଥି ବି କୁହାଯାଏ। ବୈଷ୍ଣବମାନେ ଏହାକୁ ତ୍ରିସ୍ପୃଶା ଏକାଦଶୀ ଭାବେ ପାଳନ୍ତି। ତେଣୁ ଏକାଦଶୀରୁ ପୂର୍ଣ୍ଣିମା ଭିତରେ ଗୋଟିଏ ତିଥି କ୍ଷୟ ହେବାରୁ ଏ ବର୍ଷ ପଞ୍ଚୁକ ଚାରିଦିନ ପଡୁଛି। ଆସନ୍ତାବର୍ଷ ବି ଚାରିଦିନିଆ ପଞ୍ଚୁକ ପଡ଼ିବ।