Rain in odisha:(ନାରାୟଣ ବେହେରା) ବର୍ଷା ଜଳରେ ହନ୍ତସନ୍ତ ଗ୍ରାମବାସୀ। ବର୍ଷା ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, ଲୋକେ ହନ୍ତସନ୍ତ ,ଘର ଭିତରେ ଆଣ୍ଠୁଏ ପାଣିରେ ଲୋକେ କରୁଛନ୍ତି ଯାଆ ଆସ। ଜଳ ନିଷ୍କାସନ ପାଇଁ ନାହିଁ ଡ୍ରେନେଜ୍ ର ବ୍ୟବସ୍ଥା, ଦୂର ହୋଇ ପାରିନାହିଁ ଦୀର୍ଘବର୍ଷର ସମସ୍ୟା। ଏନ୍ଏସି କିମ୍ବା ମୁନସିପାଲିଟିରେ ମିଶିବା ପାଇଁ ଦାବୀ।ମୁନିସିପାଲିଟି ହେଲେ ସବୁକିଛି ସମସ୍ୟା ର ସମାଧାନ ହେବ ବୋଲି ଗ୍ରାମବାସୀ ମାନେ ଆଶା ରଖି ଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ ଅସରାଏ ବର୍ଷା ପାଣିରେ ବୁଡି ଯାଉଥିବା ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି। ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୫ଟି ଓ୍ବାର୍ଡ ଓ ୧୩ଟି ରାଜସ୍ବ ଗାମକୁ ନେଇ ଏହି ପଞ୍ଚାୟତରେ ୨୫ହଜାରରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ଅସରାଏ ବର୍ଷା ହେଲେ ରାସ୍ତା ଘାଟ ବୁଡି ଘର ଭିତରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। କାହା ଘରେ ଚୁଲିରେ ପାଣି ପଶିଯାଇଛ ତ କିଏ ଘରର ସମସ୍ତ ଆସବାବପତ୍ର ଖଟ ଉପରେ ରଖିଛି। ଏପରିକି ଗ୍ରାମର କିଛି ଘର ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି କରୁଛି।
ପାଣି ନିଷ୍କାସନର ବାଟ ନଥିବାରୁ ବାଧ୍ୟ ହୋଇ ଲୋକେ ପାଣିରେ ଯାତାୟାତ କରିବା ସହିତ ଘରୁ ପଦାକୁ ବାହାରିବା ବଡ କଷ୍ଟକର ହୋଇ ପଡିଛି। ଏହି ସମସ୍ୟା ଦୀର୍ଘବର୍ଷ ର ହୋଇଥିବା ବେଳେ ବର୍ଷା ଦିନେ ପଞ୍ଚାୟତ ତରଫରୁ କୌଣସି ଆସୁ ସମାଧାନ ହୋଇ ପାରିନାହିଁ। ଯାହା ଫଳରେ ଅସରାଏ ବର୍ଷା ହେଲେ ଲୋକେ ପାଣି ଘେରରେ ରହିବା ସହିତ ପାଣି ଭିତରେ ଯାଆ ଆସ କରି ରୋଗାଗ୍ରସ୍ତ ହୋଇପଡୁଛନ୍ତି। ଦୀର୍ଘ ଦିନର ସମସ୍ୟାର ସୁଧାର ନ ଆସିବାରୁ ସମସ୍ୟାର ସୁଧାର ପାଇଁ ପାରାଦୀପ ଗଡ ପଞ୍ଚାୟତକୁ ଏନ୍ଏସି କିମ୍ବା ମୁନସିପାଲିଟିରେ ମିଶାଇବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ପାରାଦୀପ ଗଡ ପଞ୍ଚାୟତ ଏକ ବୃହତ ପଞ୍ଚାୟତ ହୋଇଥିବା ବେଳେ ପାରାଦୀପରେ ଦୃତ ଶିଳ୍ପାୟନ ଯୋଗୁଁ ବିଭିନ୍ନ ରାଜ୍ୟର ହଜାର ହଜାର ଲୋକେ ଏଠାରେ ବସବାସ କରୁଛନ୍ତି।
କିଛି ଲୋକେ ସରକାରୀ ଖାଲିଯାଗା ତଥା ଜଳ ନିଷ୍କାସନ ପଥକୁ ଜବରଦଖଲ କରି ଜଳ ନିଷ୍କାସନ ପଥକୁ ଅବରୋଧ କରିଛନ୍ତି। ଯାହା ଫଳରେ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ନହୋଇ ପାରି ପାରାଦୀପ ଗଡ ପଞ୍ଚାୟତ ର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇ ପଡୁଛି। ଏହା ର ସମାଧାନ ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି କହିବା ସହ ଗଡ ପଞ୍ଚାୟତ ଏନ୍ଏସି କିମ୍ବା ମୁନସିପାଲିଟି ହେଲେ ଏହାର ସମାଧାନ ବାଟ ନୁହେଁ ବୋଲି ରୋକଠୋକ୍ କହିଛନ୍ତି ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି। ଅନ୍ୟ ପଟେ ସରକାର ବଦଳିବା ପରେ ପାରାଦୀପ ଗଡ ପଞ୍ଚାୟତ ଓ ନୂଆଗଡ ପଞ୍ଚାୟତ ର କିଛି ଗ୍ରାମ ଏଥର ପାରାଦୀପ ମୁନସିପାଲିଟିରେ ମିଶିବା ନେଇ ପ୍ରସ୍ତାବ ଦିଆଯାଇଛି ବୋଲି ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି।